ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଗୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ବିସ୍ତାର ହୋଇ ରହିଛି। ଆଗାମୀ ଦିନରେ ଏହା ଅଧିକ ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
୨୧ ତାରିଖ ଦିନ ପାଇଁ ରାଜ୍ୟର ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡିଶା ସହ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।