ରାଜ୍ୟରେ କମିବ ବର୍ଷାର ପ୍ରଭାଵ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଆଉ ଓଡ଼ିଶା ଉପରେ ବେଶି ଦେଖାଦେବ ନାହିଁ। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ।

ଲଘୁଚାପ ଛତିଶଗଡ଼ ଆଡ଼କୁ ମୁହାଁଇଥିବାରୁ କେବଳ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଦୀର୍ଘ ଦିନ ଧରି ରାଜ୍ୟରେ ଦୁର୍ବଳ ରହିଥିବା ମୌସୁମୀକୁ ଏହି ଲଘୁଚାପ ସକ୍ରିୟ କରିଦେଇଥିବାରୁ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଲାଇନ୍‌ ଅଜମୈର୍‌, ଜବଲପୁର, ଚମ୍ପା ଦେଇ ପୂର୍ବ-ଦକ୍ଷିଣପୂର୍ବ ଆଡ଼କୁ ଗତି କରି ଲଘୁଚାପର କେନ୍ଦ୍ର ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଭାବରେ ରାଜ୍ୟରେ ଏବେ ୨ରୁ ୩ ଦିନ ପର୍ଯ୍ୟନ୍ତ ଅଳ୍ପ ବହୁତ ବର୍ଷା ଲାଗି ରହିବ।

ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିସହ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। ଗତକାଲି ରାଜ୍ୟ‌ରେ ସର୍ବାଧିକ ୧୪୪ ମିମି ବର୍ଷା ସୋନପୁରର ଉଲୁଣ୍ଡାଠାରେ ରେକର୍ଡ ହୋଇଛି। ଏଥିସହ ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ଚାନ୍ଦହାଣ୍ଡି, ରାୟଗଡ଼ା ଜିଲ୍ଲା କୋତ୍ରାଗୁଡ଼ା ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଆଦି ସ୍ଥାନ‌ରେ ୧୦୦ ମିମି ବର୍ଷାରୁ ଅଧିକ ବର୍ଷା ହୋଇଯାଇଛି।

ଆଜିଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ଏହାସହ ୨୪ରୁ ୨୫ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ
ମଧ୍ୟ ଜାରି କରାଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୫୦ରୁ ୫୫ କ.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।