ଆସୁଛି ପଶ୍ଚିମା ଝଡ: ୪ ଦିନ କାଳବୈଶାଖୀ

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗରେ ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିଜୁଳି-ଘଡଘଡ଼ି ସହ ଝଡ଼ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି। ତେଣୁ ୧୫ ତାରିଖରୁ ୪ଦିନ ଧରି ବଜ୍ରପାତ ସହ ବର୍ଷା ପବନ ବହିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

୧୬, ୧୭ ଏବଂ ୧୮ ତାରିଖରେ ବଜ୍ରପାତ ସହ ବର୍ଷା ପରିମାଣ ବୃଦ୍ଧି ପାଇବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବା ଆଶଙ୍କା ରହିଛି। ବିଜୁଳି-ଘଡଘଡ଼ି ଏବଂ ଝଡ଼ ପବନ ସକାଶେ ଚେତାବନୀ ଜାରି ହୋଇଛି। ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନେବା ଏବଂ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।