ଭୁବନେଶ୍ୱର(ଏସ୍ ନ୍ୟୁଜ) : ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କୋଭିଡ଼ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଏହାସହ ବହୁ କୋଭିଡ଼ ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ନଥିବା ଦେଖାଯାଇଛି । ତେଣୁ ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ ।
କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ । ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ । ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏକାନ୍ତରେ ରୁହନ୍ତୁ ।
ଡ.ପଣ୍ଡା ଆହୁରି କହିଛନ୍ତି ଯେ , ହୋମ୍ ଆଇସୋଲେସନରେ ରୋଗୀଙ୍କୁ ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରୋଗୀଙ୍କ ପାଖରେ ଯେତିକି କମ ସମୟ ରହିବେ, ସେତିକି ଭଲ । ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ନ ଯାଆନ୍ତୁ । ଅଥବା ପରିବାରର ଜଣେ ମାତ୍ର ଲୋକ ରୋଗୀଙ୍କ କୋଠରୀକୁ ଯିବା ଦରକାର। କିନ୍ତୁ ସେମାନେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଦରକାର । କରୋନା ଆକ୍ରାନ୍ତ ରହିବା ଲାଗି ସ୍ୱତନ୍ତ୍ର କୋଠରୀ, ବ୍ୟକ୍ତିଗତ ଶୌଚାଳୟ ଓ ଯତ୍ନ ନେବାଲାଗି ପରିବାରର ଲୋକ ନିହାତି ଆବଶ୍ୟକ ।
ସେହିପରି ହସ୍ପିଟାଲ ଆଇସୋଲେସନ ସଂପର୍କରେ ଡ. ଜୟନ୍ତ ପଣ୍ଡା କହିଛନ୍ତି, ଯେଉଁମାନେ ବହୁରୋଗ (ହୃଦରୋଗ, ମଧୁମେହ କିଡ଼ନି ସହିତ ଅନ୍ୟ ରୋଗ)ରେ ପୀଡ଼ିତ ଅଛନ୍ତି, ସେମାନେ ହୋମ ଆଇସୋଲେସନରେ ରହିପାରିବେ ନାହିଁ । ସେମାନେ କୋଭିଡ ହସ୍ପିଟାଲ ଅଥବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେବେ । ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଉଛି ।
ସେହିପରି ସେ କହିଛନ୍ତି କୋଭିଡ ରୋଗୀଙ୍କୁ ହୋମ ଆଇସୋଲେସନରେ ଥିବା ବେଳେ ସ୍ୱତନ୍ତ୍ର କିଟ ଦିଆଯାଉଛି । ଏଥିରେ ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଡି, ପାରାସିଟାମଲ, ଆଣ୍ଟିବାୟୋଟିକ ରହୁଛି । ଏଥିରେ ଏକ ସୂଚନା ଭିତ୍ତିକ ଚାର୍ଟ ରହୁଛି, ଯାହାକି ରୋଗୀ ଅସୁବିଧା ଅନୁଭବ କଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଅଧିକ ପରାମର୍ଶ ନେଇପାରିବେ । ହୋମଆଇସୋଲେସନ ଅବଧି ପୂର୍ଣ୍ଣ ହେବା ପରେ ସ୍ୱାସ୍ଥ୍ୟ ଜନିତ ଉନ୍ନତି ଆସି ନ ଥିଲେ ଆହୁରି କିଛି ଦିନ କୋଭିଡ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ।
ଅନ୍ୟପଟେ ନାକ ବନ୍ଦ ହେବା, କାଶ ହେବା, ଛାତି ଧକଧକ ହେଲେ, ମୁଣ୍ଡବିନ୍ଧା ହେବା, ଧଇଁସଇଁ ଲାଗିଲେ ତୁରନ୍ତ ୧୦୪କୁ କଲ କରନ୍ତୁ କିମ୍ବା ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ । କୋଭିଡ ପରୀକ୍ଷା କରାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ।