ବାପାଙ୍କ ମୃତ୍ୟୁରୁ କ’ଣ ମିଳିବ; ଏବେ ଉପନିର୍ବାଚନ ଜିତିବା ଜରୁରୀ
ନିର୍ବାଚନ କମିଶନ ବଜାଇ ଦେଲେ ଝାରସୁଗୁଡ଼ା ଉପନିର୍ବାଚନ….
ଭୁବନେଶ୍ୱର: ବାପା ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଦୁଇମାସ ଟପିଛି । ଅଭିଯୁକ୍ତ ପୁଲିସ ଗୋପାଳ ଦାସ ଜେଲରେ ଆରାମରେ ରହିଛି । କ୍ରାଇମ୍ ବ୍ରାଂଚ୍ ଝାରସୁଗୁଡ଼ା ବିମାନବନ୍ଦର ଥାନା ମଇଳା ଟାଙ୍କିରୁ ଆରମ୍ଭ କରି ଗୁଜରାଟ ବୁଲି ଆସିଲାଣି । ମାତ୍ର କେଉଁ କାରଣରୁ ନବକିଶୋର ଦାସଙ୍କୁ ହତ୍ୟା କରାଗଲା, ତା’ର ଟେର ପାଇ ପାରିଲାନି ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କର ଦକ୍ଷ କ୍ରାଇମ୍ ବ୍ରାଂଚ୍ ।
ଅନ୍ୟ ଉପାୟ ନପାଇ ମୁଖ୍ୟମନ୍ତ୍ରୀ କହିଲେ କ’ଣ ନା ଆମେରିକାର ଫେଡେରାଲ ପୁଲିସର ସହାୟତା ମଗାଯାଇଛି । ବାପାଙ୍କ ହୃଦୟ ବିଦାରକ ମୃତ୍ୟୁକୁ ମନେପକାଇ ଦୀପାଳି ଦାସ ପ୍ରାଣଖୋଲା କାନ୍ଦ କାନ୍ଦିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଏପରି ଅଥୟ କଲେ, ବିଜେପିର ତୁଙ୍ଗନେତାଗଣ ନବଦାସଙ୍କ ଝାରସୁଗୁଡ଼ା ଘରେ ଏମିତି ଯାତ କଲେ ଯେ ବିଚାରୀ ଦୀପାଳି ‘ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି ନହେଉ’ ବୋଲି ବିବୃତି ଦେଲେ ।
ତା’ପରେ ବି ବିଜେପିର ନବନିର୍ବାଚିତ ସଭାପତି ମନମୋହନ ସାମଲ କହିଛନ୍ତି ଯେ ବିଜେପି ସରକାର କଲେ, ନବଦାସଙ୍କୁ ନ୍ୟାୟ ପ୍ରଦାନ କରିବ । ଏମିତି ଟଣାଓଟରା ଭିତରେ ନିର୍ବାଚନ କମିଶନ ବଜାଇ ଦେଲେ ଝାରସୁଗୁଡ଼ା ଉପନିର୍ବାଚନ ପେଁ କାଳି । ଆଉ କି ଦୀପାଳି ଦାସ ଥୟ ଧରନ୍ତି । ଲଣ୍ଡଭଣ୍ଡ ହୋଇ ବାପାଙ୍କ ଗଡ଼ରେ ପଶିଲେ । ବାପାଙ୍କ ଅନୁଗତଙ୍କୁ ସାଉଁଟି ନିର୍ବାଚନ ଲଢ଼ିବାକୁ ଅଂଟା ଭିଡିଛନ୍ତି ।
ହଉ, ବାପାଙ୍କ ମୃତ୍ୟୁକୁ ମନେପକାଇ କାନ୍ଦିବା ପାଇଁ ସମୟ ଅଛି, ମାତ୍ର ଉପନିର୍ବାଚନ ପାଇଁ ହାତରେ ସମୟ ନାହିଁ । ମେ’ ୧୦ରେ ଝାରସୁଗୁଡ଼ାରେ ମତଦାନ କରାଯିବ । ବିଜେଡି ମୁଖିଆ ଯାହା ନିଷ୍ପତି ନେବେ ତାକୁ ମାନିବାକୁ ଦୀପାଳି ଓ ତାଙ୍କ ଭାଇ ବିଶାଳ ଗଣମାଧ୍ୟମକୁ ଜଣାଇ ସାରିଛନ୍ତି । ଦେଖାଯାଉ । ନବଦାସଙ୍କ ମୃତ୍ୟୁ ପରେ ଛାତି ଫଟାଇ କାନ୍ଦୁଥିବା ବିଜେପି ଉପନିର୍ବାଚନରେ ପ୍ରାର୍ଥୀ ଠିଆ କରୁଛି କି ନାହିଁ । ନବଦାସଙ୍କ ପରିବାରକୁ ଆରାମରେ ଜିତିବାକୁ ସୁଯୋଗ ଦେବ କି ନାହିଁ ।