ଭୁବନେଶ୍ବର : ରାଜ୍ୟରେ ଗଡିବ ମେଟ୍ରୋ ଟ୍ରେନ୍। ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ ଟ୍ରେନ୍। ପର୍ଯ୍ୟାୟକ୍ରମେ ଭୁବନେଶ୍ବର-କଟକ-ପୁରୀକୁ କରିବ ସଂଯୋଗ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ରିଶୁଳିଆ ଠାରୁ ବିଜୁପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ମେଟ୍ରୋ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ବିମାନବନ୍ଦର ମଧ୍ୟରେ ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟ ରେଳଷ୍ଟେସନକୁ ସଂଯୋଗ କରିବ। ସେହିଭଳି ଏହି ପ୍ରକଳ୍ପ କଟକର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ରୋଲ ମଡେଲ ସାଜିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, କ୍ରୀଡ଼ା, ବିଶ୍ବସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ, ଭିତ୍ତିଭୂମି ପାଇଁ ସୁନାମ ଆଣିଛି।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍ ରିଭ୍ୟୁ କରିଥିଲା। ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି ।