ଖାଇଚାଲ ଦିଅଁ ଖଟୁଲି ସହିତ, ପଦଟିଏ ଦେଲି କର୍ଣ୍ଣ ରସାୟିତ
ସରକାରଙ୍କ ନିକଟରେ ଏତେ ବୁଦ୍ଧିମାନ ପ୍ରଶାସନିକ ଅଧିକାରୀ ଅଛନ୍ତି….
ଭୁବନେଶ୍ୱର: ଦଳର ଛାମୁଆ ନେତାଙ୍କୁ ନିଗମ ସମେତ ଅନ୍ୟାନ୍ୟ ଊନ୍ନୟନ ପରିଷଦରେ ଅବସ୍ଥାପିତ କରିବା ପରେ ଦଳର ମୁଖିଆ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଯୁଦ୍ଧକ୍ଷେତ୍ର ସଂରଚନା ଆରମ୍ଭ କରିଛନ୍ତି । ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ସଂପୃକ୍ତ ନିଗମ ଓ ସଂସ୍ଥାରୁ ଦୁଇହାତ ଭରି ଟଙ୍କା ଗୋଟାଇବାକୁ ଅବସ୍ଥାପିତ ଦଳୀୟ ନେତାମାନଙ୍କୁ ଅନୁମତି ମିଳିସାରିଛି । ସରକାରଙ୍କ ନିକଟରେ ଏତେ ବୁଦ୍ଧିମାନ ପ୍ରଶାସନିକ ଅଧିକାରୀ ଅଛନ୍ତି ।
ସେଇମାନଙ୍କ ହାତରେ ନିଗମ ପରିଚାଳନା ଭାର ସଅଁପି ଦେଇ ସଂସ୍ଥାକୁ ଉଠିଆ କରିବା ଛାଡ଼ି ଦଳୀୟ ନେତାଙ୍କ ହାତକୁ ନିଗମ ଟେକିଦେବା ଟିକେ ଅଡୁଆ ଅଡୁଆ ଲାଗୁଥିଲେ ମଧ୍ୟ ତାକୁ ହଜମ କରିବାକୁ ପଡ଼ିବ । ଲୋକମାନଙ୍କ ଟଙ୍କାରେ ଗଠିତ ନିଗମ ଆଜି କାହିଁକି କ୍ଷତିଗ୍ରସ୍ତ, ରୁଗ୍ଣ, କଙ୍କାଳସାର ଅବସ୍ଥାରେ ପଡ଼ିଛି; ଲୋକମାନଙ୍କୁ ବୁଝାଇବା ଆଉ ଦରକାର ନାହିଁ । ମାଛତେଲରେ ମାଛ ଭାଜିବା ଆଉ ପାଟିରେ ପକାଇ ମଜା ନେବା ଯୋଉ ଦଳର ମୁଖିଆଙ୍କର ଅସଲ ଉଦ୍ଦେଶ୍ୟ ।
ତାଙ୍କ ହାତକୁ ରାଜକୋଷ ଟେକିଦେଇ ଆରାମରେ ଶୋଇବା ଆମ ଜନତାଙ୍କର ପୁରୁଣା ରୋଗ । ଭୋକ ହେଲେ ପେଟ ଉପରେ ଓଦାକନା ପକାଇ ଶୋଇବା ଆମ ଲୋକଙ୍କର ସହଜାତ ପ୍ରବୃତି ।
ଏବେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ମୁତାବକ ଦଳର ତୁଙ୍ଗନେତାଙ୍କୁ ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରଦକ୍ଷିଣ ଦାୟିତ୍ୱ ଦିଆଯିବାର ଯୋଜନା ରହିଛି । ଅନ୍ୟ ବିରୋଧୀ ଦଳଗୁଡ଼ିକ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପଶିବାକୁ ଯେପରି ସୁଯୋଗ ନପାଆନ୍ତି, ସେଥିପାଇଁ ପୁଲିସ ପ୍ରଶାସନକୁ ୨୪ ଘଂଟିଆ ସଜାଗ କରାଯାଇଛି ।
କୌଣସି ସଂଗଠନର କାର୍ଯ୍ୟକଳାପ ପ୍ରତି ସାମାନ୍ୟ ସନ୍ଦେହ ଦେଖାଦେଲେ, ସଂପୃକ୍ତ ସଂସ୍ଥାର ଆଗଧାଡ଼ିର ଲୋକଙ୍କୁ ମିଛ ମାମଲାରେ ଫସାଇ ତୁରନ୍ତ ଜେଲରେ ଠୁଙ୍କିବାକୁ ପରାମର୍ଶ ଦିଆଯାଇଛି । ଗୃହ ବିଭାଗଟିକୁ ହାତରେ ରଖିଲେ, ପୁଲିସକୁ ନଚାଇବା ଅତି ସହଜ ହୋଇଯାଏ । ମୁଣ୍ଡରେ ଟଙ୍କାକର ବୁଦ୍ଧି ନଥାଉ, ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତି କ’ଣ ପାଇଁ? ମୁଖ୍ୟମନ୍ତ୍ରୀଙ୍କ କଥାରେ ଉଠବସ ହେବା ପାଇଁ ତ?
(ଏଠାରେ ସ୍ପଷ୍ଟ କରିଦେଉଛୁ କି ସ୍ତମ୍ଭକାର ତାଙ୍କର ନିଜସ୍ୱ ମତାମତ ପ୍ରଦାନ କରିଛନ୍ତି । ତା’ ଉପରେ କୌଣସି କୈଫିୟତ ଦେବା ପାଇଁ ସମ୍ପାଦକ ଅବା ପ୍ରକାଶକ ଦାୟୀ ରହିବେ ନାହିଁ । ପାଠକଙ୍କ ରୁଚି ପ୍ରତି ଦୃଷ୍ଟିପାତ କରି ଏହି ଆଲେଖକୁ ପ୍ରକାଶ କରିଛୁ ମାତ୍ର ।)