ଭଞ୍ଜନଗର: ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ନିମନ୍ତେ ରଥ ନିର୍ମାଣ ସକାଶେ ସୋମବାର ଉତର ଘୁମୁସର ବନଖଣ୍ଡର ତାରସିଂ ବନାଂଚଳ ଆମ୍ବଝରା ଜଙ୍ଗଲରୁ କାଠ ସଂଗ୍ରହ କରି ୨ଟି ଟ୍ରକରେ କାଠ ପୁରୀ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ଟି ଢଉରା କାଠ ଯାଇଥିବା ଜଣାପଡିଛି। ସେଥରୁ ୧୫ଟି ସିଧାସଳଖ ପୁରୀ ଯିବ ଆଉ ୧୪ଟି ଆଗାମୀ ରାମନବମୀ ଅବସରରେ କାଠକଟା ଅନୁକୂଳ ପାଇଁ ଚିରଟ ହେବାକୁ କଟକ ଖପୁରିଆ କରତକଳକୁ ପଠାଯାଇଥିବା ଉତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।
ଆମ୍ବଝରା ଜଙ୍ଗଲରୁ କଟା ଯାଇଥିବା ଉକ୍ତ କାଠକୁ ଏକତ୍ରିତ କରିବା ପରେ ଗାୟଗଣ୍ଡା ଠାରେ ପୁରୀରୁ ଆସିଥିବା ସ୍ୱତନ୍ତ୍ର ଗାଡି ସାମ୍ନାରେ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତିଙ୍କ ତତ୍ୱାବଧାନରେ ହୋମଯଜ୍ଞ ପୂଜାର୍ଚ୍ଚନା କରାଯାଇଥିଲା। ଗାଡିରେ ଉକ୍ତ କାଠକୁ ନେଇ ଯିବା ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।
ଏହାକୁ ନେଇ ଆଜି ସ୍ଥାନୀୟ ଇଲାକାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଗ୍ରାମର ବହୁ ମହିଳା ଓ ପୁରୁଷ ଗିନି ମୃଦ୍ଦଙ୍ଗ ବଜାଇବା ସହ ଗାଡି ନିକଟରେ ବନ୍ଦାପନା କରିବା କରିଥିଲେ। ନଡିଆ କଦଳି ଭୋଗ ଓ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପତାକା ଦେଖାଇ ଡିଏଫ୍ଓ ଶୁଭାରମ୍ଭ କରିଥିଲେ।
ସୂଚନାଯୋଗ୍ୟ, ଉତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ୧୦୨ଟି ଗଛ ଚିହ୍ନଟ କରାଯାଇଛି। ୧୯ଟି ଅସନ କାଠ, ୬୭ଟି ଢଉରା କାଠ, ୧୬ଟି ଫାସୀ କାଠ ପଠାଯାଇଛି। ଫାସୀ କାଠରେ ରଥର ଚକ, ପଇ ଓ ତୁମ୍ବ, ଶିମୁଳି କାଠରେ ପାରା ଭାଡି ନିର୍ମାଣରେ ଲାଗିବ।