ପାରାଦୀପ ଠାରୁ ୧୬୦କିମି ଦୂରରେ ‘ୟାସ୍’: ଜାଣନ୍ତୁ ବର୍ତମାନର ସ୍ଥିତି

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଏବେ ସ୍ଥଳ ଭାଗର ଆହୁରି ନିକଟତର ହୋଇଛି। ଭଦ୍ରକର ଧାମନଗର ପୋର୍ଟ ନିକଟରେ ଏହା ଆସନ୍ତାକାଲି ସକାଳ ୫.୩୦ରେ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।

ପୂର୍ବରୁ ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଗତ ୬ ଘଣ୍ଟା ଧରି ୧୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ବର୍ତ୍ତମାନ ୟାସ ପାରାଦୀପ ଠାରୁ ୧୬୦ କିମି, ବାଲେଶ୍ୱର ଠାରୁ ୨୯୦ କିମି, ଦିଘା ଠାରୁ ୨୯୦ କିମି ଓ ସାଗର ଦ୍ୱୀପ ଠାରୁ ୨୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ବିଭାଗ କହିଛି ଯେ ଭୀଷଣ ବାତ୍ୟା ରୂପରେ ଥିବା ୟାସ ଯୋଗୁ ଏବେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିମି ରହିଛି। ସମୟ ବିତିବା ସହ ଏହାର ବେଗ ମଧ୍ୟ ବୃଦ୍ଧି ପାଇବ। ୨୬ ତାରିଖ ସକାଳେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଏହା ପ୍ରାୟ ୪ରୁ ୫ ଘଣ୍ଟା ଧରି ଚାଲିବ। ୟାସ ଯୋଗୁ ଧାମରା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ। ଏଠାରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁବାର ଆଶଙ୍କା ରହିଛି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି କରାଯାଇଛି। ଏବେଠାରୁ କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ପାରଦୀପ ଯାଏ ପବନ ବଢ଼ିବା ଆରମ୍ଭ ହେଲାଣି। ଧାମନଗରେ ମଧ୍ୟ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ବର୍ଷା ହେଉଛି। ମଧ୍ୟରାତ୍ର ପରେ ପବନର ବେଗ ସହ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ଆକଳନ କରିଛି।

ବାତ୍ୟା ଯୋଗୁ ସମୁଦ୍ର ୨ରୁ ୪ ମିଟିର ଉଚ୍ଚକୁ ଉଠିବ ଜୁଆର । ଅର୍ଥାତ ଏହା କିଛି ସ୍ଥାନରେ ସ୍ଥଳ ଭାଗକୁ ୨.୫ କିମି ଯାଏ ମାଡ଼ି ଯିବାର ଆଶଙ୍କା ମଧ୍ୟ ରହିଛି। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ର ସ୍ଥଳ ଭାଗରେ ପ୍ରବେଶ କରିବାର ଆଶଙ୍କା ଅଧିକ। ସେହିପରି ଲ୍ୟାଣ୍ଡଫଲ ବେଳେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ତଳିଆ ଅଞ୍ଚଳରେ ସମୁଦ୍ର ମାଡ଼ିବାର ଆଶଙ୍କା ଥିବା ବିଭାଗ କହିଛି। ତେଣୁ ବାତ୍ୟା ପୂର୍ବର ଓ ପରର ୬ଘଣ୍ଟା ଗୁରୁତ୍ୱପୂର୍ଣ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।

ଅଧିକ ସୂଚନା ଅନୁଯାଇ ପାରାଦୀପସ୍ଥିତ ଡପଲର ରାଡାରରୁ ବାତ୍ୟାର ଆଖି ଗଠନ ହୋଇଥିବା ଜଣାପଡୁଛି । ଏହାର ବ୍ୟାସାର୍ଧ ୩୫କିମି ବୋଲି ଆକଳନ କରାଯାଉଛି। ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବା ନେଇ ଜଣାପଡିଛି ।