ବାରିପଦା(ସାକ୍ସୀ ନ୍ୟୁଜ୍): ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚି ଚର୍ଚ୍ଚାରେ ଯୁବକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି। ତେଵେ ଘଟଣା ଅନୁଯାଇ ଡ୍ୟୁଟିରେ ଥିବା ବେଳେ ଜଣେ ସରକାରୀ କାର୍ଯ୍ୟାଳୟର ଜଗୁଆଳିଙ୍କୁ ସାପ କାମୁଡ଼ି ଦେଇଥିଲା। ଏହା ପରେ ସେ ଭୟଭୀତ ନହୋଇ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ସାଇକେଲରେ ଡାକ୍ତରଖାନାରେ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ତେବେ ଦଂଶନ କରିଥିବା ସାପଟି ବିଷାକ୍ତ ରଣାସାପ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ସମୟରେ ଉଦଳା ଏନଏସିର ୱାର୍ଡ ନମ୍ବର ୧୦ ସ୍ଥିତ ଉଠା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ବାହଳଦା ଅଞ୍ଚଳର ବାସିନ୍ଦା ତଥା କାର୍ଯ୍ୟାଳୟର ଜଗୁଆଳି ମୋଚିରାମ ଟୁଡୁ ନିଜର ଦୈନନ୍ଦିନ ଡ୍ୟୁଟି କରୁଥିଲେ। ସେ ଏକ ଚୌକିରେ ବସିଥିବା ବେଳେ ତାହା ତଳେ ଲୁଚି ରହିଥିବା ଏକ ସାପ ହଠାତ ତାଙ୍କ ଗୋଡ଼କୁ ଦୁଇଥର କାମୁଡ଼ି ଦେଇଥିଲା ।
ସାପ କାମୁଡ଼ିବା ପରେ ମୋଚିରାମ ଘଟଣାସ୍ଥଳରୁ ଖସିନଯାଇ ସାହସିକତାର ସହ ସାପଟିକୁ ଧରି ପକାଇଥିଲେ। ସେ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ନିଜ ସାଇକେଲ ଯୋଗେ ସିଧାସଳଖ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସାପଟି କେଉଁ ପ୍ରଜାତିର ତାହା ସେ ଚିହ୍ନି ନପାରିବାରୁ ଚିକିତ୍ସା କରୁଥିବା ଡାକ୍ତରମାନେ ସାପକୁ ଦେଖି ସଠିକ ଔଷଧ ଦେଇପାରିବେ, ସେଥିପାଇଁ ସେ ଏପରି କରିଥିବା କହିଛନ୍ତି। ତେଵେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ସ୍ଥାନୀୟ ଡାକ୍ତରଙ୍କ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଦିଗରେ ତତ୍ପରତା ଦେଖାଇବା ଯୋଗୁଁ ଏବେ ସ୍ଥିତି ବେଶ ସ୍ୱାଭାବିକ ରହିଛି ।