ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ଆଂଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସ୍ଡିଆଇ ଅଡିଟୋରିୟମରେ ଉଦ୍ଯାପିତ ହୋଇଛି। ଏହାଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଂଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ, ଉଦ୍ୟମିତା ମନ୍ତ୍ରଣାଳୟର ତତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ ଯୁବତୀ ୫୯ଟି କୌଶଳ ବର୍ଗରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, “ଏହି ପ୍ରତିଯୋଗିତା ଆମ ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ଆକାଂକ୍ଷା ଏବଂ ସାମର୍ଥ୍ୟର ପ୍ରତିଫଳନ। ପୂର୍ବ ଭାରତର ରାଜ୍ୟଗୁଡ଼ିକ ଦେଶର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଏହା ଦକ୍ଷତା ଉପରେ ଆଧାରିତ।’ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ସ୍କିଲ୍ ଇଣ୍ଡିଆ ମିଶନ ଦକ୍ଷତା ବିକାଶକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଛି।’ ୧୩୨ ଜଣ କୃତି ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରାଯାଇଛି। ୫୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୪୮ଜଣଙ୍କୁ ରୌପ୍ୟ ପଦକ ଏବଂ ୩୧ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଯାଇଛି।