ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା

ଭୁବନେଶ୍ୱର : ଡିସେମ୍ବର ମାସ ପାଇଁ କୋଭିଡ ଗାଇଡ ଲାଇନ ଜାରି କରିଛନ୍ତି ଏସଆରସି । ନୂଆ ବର୍ଷରେ ଜିରୋ ନାଇଟ ସେଲିବ୍ରେସନ ବାରଣ କରାଯାଇଛି । ଆସନ୍ତା ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ହୋଟେଲ, ପାର୍କ, ରେଷ୍ଟୁରାଣ୍ଟ ଆଦି ସ୍ଥାନରେ ସେଲିବ୍ରେସନକୁ ବାରଣ କରାଯାଇଛି । ପୂର୍ବ ଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି । ଏହା କଟକଣା ଜାନୁୟାରୀ ୧ ତାରିଖ ଯାଏଁ ବଳବତ୍ତର ରହିବ ।

ଗତ ବର୍ଷ ଭଳି ଏଥର ମଧ୍ୟ ଫିକା ପଡିବ ନୂଆବର୍ଷ । ରାଜ୍ୟରେ ଏଥର ଜିରୋ ନାଇଟ ସେଲିବ୍ରେସନ ହେବନି । ଡିସେମ୍ବର ମାସ ଗାଇଡଲାଇନ୍‌ ମୁତାବକ ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍‌ ସେଲିବ୍ରେସନ ହୋଇପାରିବ ନାହିଁ । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର ମନା କରିଛନ୍ତି । ହୋଟେଲ୍‌, ରେଷ୍ଟୁରାଣ୍ଟ, କ୍ଲବ୍‌, ପାର୍କରେ ଜିରୋ ନାଇଟ୍‌ ପାଳନକୁ ମନା କରାଯାଇଛି । ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍‌ କରିବାକୁ ବାରଣ କରାଯାଇଛି । ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍‌ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି ।