ଖୋର୍ଦ୍ଧା ବିଧାନସଭା ଏବଂ ଭୁବନେଶ୍ୱର ଲୋକସଭା ଆସନର ଅଙ୍କ ବିଗାଡିବେ କି କାଳୁ ଖଣ୍ଡାୟତ

ବିଜେପିରୁ ଟିକେଟ ନମିଳୀବା ପରେ ଇସ୍ତଫା ଦେଇ ସ୍ୱାଧୀନ ଭାବେ ଲଢିବାକୁ ନାମାଙ୍କନ ଭରିଛନ୍ତି । କାଳୁଙ୍କୁ ସମର୍ଥନ କରୁଥିବା କର୍ମୀ ଦିନେ ଅପରାଜିତାଙ୍କ ସମର୍ଥକ ଥିଲେ । ସେଥିପାଇଁ କୁହାଯାଉଛି ସମୀକରଣ ବିଗାଡିପାରନ୍ତି କାଳୁଚରଣ ଖଣ୍ଡାୟତ ରାୟ । ସେପଟେ ପ୍ରଶାନ୍ତ ଜଗଦେ୍ଦବଙ୍କ ରଣନୀତି ମଧ୍ୟ ଟଳମଳ ।

ଟଳମଳ ଅପରାଜିତାଙ୍କ ଆସନ । ଯଦିଓ ପ୍ରଧାନମନ୍ତ୍ରୀ ମୋଦି ଅପରାଜିତାଙ୍କ ପାଇଁ ଭୁବନେଶ୍ୱରରେ ରୋଡ ଶୋ କରିଛନ୍ତି, ଗ୍ରାଉଣ୍ଡରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ବିଜେପି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ସହ କିନ୍ତୁ ଅନ୍ୟ ବିଧାନସଭା କ୍ଷେତ୍ରରେ ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଛି ପ୍ରଶ୍ନ । ସମର୍ଥକ ଦିନକୁ ଦିନ ଶତ୍ରୁ ହେବାରେ ଲାଗିଛନ୍ତି । ଖୋର୍ଦ୍ଧା ବିଧାନସଭା ହାତରୁ ଖସି ଯାଉଥିବା ଭଳି ମନେ ହେଉଛି । ଗତଥର ବିଜେପି ଟିକେଟରେ ଲଢିଥିବା କାଳୁ ଚରଣ ଖଣ୍ଡାୟତ ରାୟ ଅପରାଜିତାଙ୍କ ପାଇଁ ଏବେ କଣ୍ଟା ହେବାକୁ ଯାଉଛନ୍ତି । ଯେଉଁଥିପାଇଁ ଅପରାଜିତା ଟେନସନରେ ଥିବା ଚର୍ଚ୍ଚା ହେଉଛି । ତାରିଖ ଯେତେ ପାଖଉଛି ବିଧାନସଭା ହେଉ କି ଲୋକସଭା କ୍ଷେତ୍ର ସତେ ରୋଚକ ମୋଡ ନେଉଛି । ଏହାରି ଭିତରେ ଖୋର୍ଦ୍ଧା ବିଧାନସଭା ଆସନର ସମୀକରଣ ଭିନ୍ନ ହେବାରେ ଲାଗିଛି ।

ବିଜେପି ଟିକେଟ ରେସରେ ଥିବା କାଳୁ ଖଣ୍ଡାୟତଙ୍କୁ ଟିକେଟ ନମିଳିବା ପରେ ପାର୍ଟି ଅଫିସ ଆସି ନାରାବାଜି କରିବା ସହ ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ପାର୍ଟି ପ୍ରଶାନ୍ତ ଜଗଦେ୍ଦବଙ୍କୁ ଟିକେଟ ଦେବା ପରେ କାଳୁ ଅପରାଜିତାଙ୍କୁ ଖୋଲା ଖୋଲି ବିରୋଧ କରିଆସୁଥିବା ନଜର ଆସିଛି । ଆଉ ଏବେ କାଳୁଙ୍କ ଆଭିମୁଖ୍ୟ ଅପରାଜିତା ଏବଂ ପ୍ରଶାନ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାଳୁ ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି ଏବଂ ଅପରାଜିତାଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ନେତା କର୍ମୀ ଏବେ କାଳୁଙ୍କ ସହ ହାତ ମିଳାଇଛନ୍ତି । ଅପରାଜିତାଙ୍କ ବିଶ୍ୱସ୍ତ ଥିବା ଦେବାଶିଷ ନାୟକ ମଧ୍ୟ କାଳୁଙ୍କ ନାମାଙ୍କନରେ ସାମିଲ ହୋଇଛନ୍ତି । ଯାହା ଅପରାଜିତାଙ୍କ ପାଇଁ କାଳ ହୋଇପାରେ ।