ପୁଣି ଝାରଖଣ୍ଡ ମଙ୍ଗ ଧରିବେ ହେମନ୍ତ ସୋରେନ୍

ବସିବେ ମୁଖ୍ୟମନ୍ତ୍ରୀ ଆସନରେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ଜେଲରୁ ଫେରିବା ପରେ ପୁଣି ଥରେ ଝାରଖଣ୍ଡର ଦାୟିତ୍ଵ ନେବେ ହେମନ୍ତ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତି କ୍ରମେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ନିଷ୍ପତି ନିଆଯାଇଛି। ଏହାପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି।

ନିକଟରେ ଜାମିନରେ ଜେଲରୁ ମୁକୁଳିଛନ୍ତି ହେମନ୍ତ ସୋରେନ୍। ଜମି ଦୁର୍ନୀତି ମାମଲାରେ ହେମନ୍ତ ଜେଲ ଯାଇଥିଲେ। ହେମନ୍ତ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ଗତ ଜୁନ ୨୮ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜାମିନ୍‌ ମିଳିଥିଲା । ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଥିବା ବେଳେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ ।

କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି । ଇଡିର ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତଙ୍କ ଓକିଲ କହିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହେମନ୍ତ ସୋରେନ୍‌ଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଦୁଇଟି ମାମଲାରେ ଦାଖଲ କରିବା ପରେ ହାଇକୋର୍ଟ ବେଲ୍ ପ୍ରଦାନ କରିଥିଲେ । ଆଉ ଏବେ ଜେଲରୁ ଫେରି ପୁଣି ରାଜ୍ୟର ମଙ୍ଗ ଧରିବାକୁ ଯାଉଛନ୍ତି ହେମନ୍ତ।