ଭୁବନେଶ୍ୱର: ‘ସେ କ’ଣ ଷଣ୍ଢ ପଣିଆ ଦେଖାଉଛି । ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ । ଖଣ୍ଡା ଫଣ୍ଡା କିଛି ଦରକାର ନାହିଁ, ତାକୁ ଗୋଟିଏ ଶକ୍ତ ଚାପୁଡ଼ା ଦରକାର । ପୁଲିସ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ । ସେମାନେ ହଟାଇଦେବେ । ଏପରି ଧମକ ଦେଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ । ବାବୁ ଅରୂପ ଟିକେ ଅଧିକ ଭାବପ୍ରବଣ ହୋଇପଡ଼ିଲେ ମହିଳା ପୁଲିସ ଅଧିକାରୀଙ୍କ ପ୍ରତି ।
ବାବୁ ନୂଆନୂଆ ରାଜନୀତିକୁ ଆସିଛନ୍ତି; ତାଙ୍କ ମୁଣ୍ଡରୁ ପୁଲିସ ଭୂତ ସଂପୂର୍ଣ୍ଣ ଉତୁରିନାହିଁ । ଏବେବି ନିଜକୁ ପୁଲିସ ଅଧିକାରୀ ଭାବି ମନକୁ ଯାହା ଆସିଲା କହି ଦେଇଛନ୍ତି । ଦଳବଳ ଆଗରେ ଏମିତି ଫୁଟାଣି ନମାରିଲେ, ପତିଆରା ରହିବ ନାହିଁ ବୋଲି ଅରୂପ ବାବୁ ଭାବିଲେ ବୋଧେ । ସେଇଥିପାଇଁ ତ ଭୁବନେଶ୍ୱର ଭୋଟରମାନେ ତାଙ୍କୁ ପ୍ରତିନିଧିତ୍ୱ ପ୍ରଦାନ କଲେନାହିଁ । କଥାରେ ଚାଲିରେ ଠାଣିରେ ପୁଲିସଗିରି ଦେଖାଇଲେ କୋଉ ଭୋଟର ଭୋଟ ଦେବ ।
ବାବୁ ଅରୂପ, ଟିକେ ସଂଯତ କରି କଥା କହିବା ଦରକାର । ରାଜନୀତିରେ ପାଦ ଦେଲେ ମାତ୍ର ଦଳର ମୁଖିଆଙ୍କଠାରୁ କିଛି ଶିଖି ପାରିଲେନି ଅରୂପ ବାବୁ । ମାତ୍ର ୧୯ ଦିନ ତଳେ ଆପଣଙ୍କ ଦଳର ଜଣେ ମନ୍ତ୍ରୀ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି ଯାହାକୁ ନେଇ ବିଜେପି ଏମିତି ଉଗ୍ର ରୂପ ଦେଖାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଯଦି ସିଆରପିଏଫ୍ ଯବାନଙ୍କୁ ଟିକେ ଚାନ୍ସ ଦିଅନ୍ତି, ଆପଣଙ୍କ ଅବସ୍ଥା କ’ଣ ହେବ, ବୁଝିପାରୁଛନ୍ତି ତ! ରାଜ୍ୟ ପୁଲିସକୁ ବହୁତ କ୍ଷମତା ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଉ ଅଧିକ କ୍ଷମତା ପାଇଗଲେ ସାମାନ୍ୟ କନ୍ଷ୍ଟେବଲ ସିଧା ନବୀନ ପଟ୍ଟନାୟକଙ୍କୁ ଉଡ଼ାଇ ଦେଇପାରିବ । ପୁଲିସକୁ ଅଧିକ କ୍ଷମତା ଦେଇ ଠିକ୍ କରିଛନ୍ତି କି ଭୁଲ, ଏବେ ନବୀନବାବୁ ଅନୁଭବ କରୁଛନ୍ତି । ପୁଲିସକୁ ଅଧିକ କ୍ଷମତା ଦେବା ପାଇଁ ତାଙ୍କ ଉପରେ ଆଉ ଚାପ ପକାଅ ନାହିଁ ଅରୂପ ବାବୁ । ନବୀନବାବୁ କୋଳି ଖାଇ ମଞ୍ଜି ପୋତିନାହାନ୍ତି ଯେ ସବୁଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇ କ୍ଷମତାରେ ଥିବେ । ତାଙ୍କ ପରେ ଆଉ ଯିଏ ମୁଖ୍ୟମନ୍ତ୍ରୀ ହେବେ ସେ ଆପଣଙ୍କର ପୁଲିସଠାଣିକୁ ବରଦାସ୍ତ କରିପାରିବେ ତ!