ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଦଳର ନୂଆ ସମ୍ପାଦକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୫ ଜଣ ନେତାଙ୍କୁ ସ୍ଥାନ ମିଳିଥିବା ବେଳେ ସମସ୍ତଙ୍କୁ ସ୍ବତନ୍ତ୍ର ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।
ଏହି ୪୫ ଜଣିଆ ତାଲିକାରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋରଚନ୍ଦ୍ର ତରାଇ, ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନନ୍ଦ, ଯୁବ ବିଜେଡି ନେତା ଅମରେଶ ପତ୍ରି, ଛାତ୍ର ବିଜେଡି ନେତା ଚିନ୍ମୟ କୁମାର ସାହୁ, ପୂର୍ବତନ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନା, ମୀରା ପରିଡ଼ା ଏବଂ ସଂଗ୍ରାମ ପାଇକରାୟ ପ୍ରମୁଖ ଜଣାଶୁଣା ଚେହେରା ରହିଛନ୍ତି। ଏମାନଙ୍କୁ ସଶକ୍ତ ଓଡ଼ିଶା, ଯୁବ ବ୍ୟପାର, ଛାତ୍ର ବ୍ୟପାର, ମହିଳା ସଶକ୍ତିକରଣ, ପରିବେଶ, ଓଡ଼ିଶା ମୋ ପରିବାର ଏବଂ ଏହିପରି ଅନ୍ୟାନ୍ୟ ବିଭାଗର ଦାୟିତ୍ବଭାର ମିଳିଛି।
ପୂର୍ବରୁ ଦଳର ବରିଷ୍ଠ ଉପସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ, ମହିଳା ମୋର୍ଚ୍ଚା ପଦାଧିକାରୀ ଭାବେ ଶତାଧିକ ନେତାଙ୍କ ନାମ ଘୋଷଣା ସରିଛି। ଦଳ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ସମସ୍ତଙ୍କୁ ପଦବୀରେ ଥଇଥାନ କରି ପାଟି ବନ୍ଦ କରିବାକୁ ଏଭଳି କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୂର୍ବତନ ମନ୍ତ୍ରୀ ହୋଇଥିଲେ ହେଁ ନିର୍ବାଚନ ହାରିଥିବାରୁ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ ରବି ନନ୍ଦଙ୍କ ଭଳି ବରିଷ୍ଠ ନେତା ଦଳରେ ଗୁରୁତ୍ବ ହରାଇଥିବା କୁହାଯାଉଛି।