ବିଜେଡିର କଂଗ୍ରେସକୁ ବଏକଟ !

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ତୃତୀୟ ରାଜନୈତିକ ଦଳର ମାନ୍ୟତା ପାଇଥିଲେ ମଧ୍ୟ କଂଗ୍ରେସ ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛି । କିଛିଦିନର ନିରବତା ପରେ କଂଗ୍ରେସ ଆକ୍ଟିଭ ମୁଡକୁ ଆସିଛି । ଏପରିକି ସରକାରଙ୍କ ବିରୋଧରେ ବିଶୋଦଗାର କରିବା ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛି । ହେଲେ କଂଗ୍ରେସର କୌଣସି ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟାଶୀଳ ହେଉନାହିଁ । ଏମିତିକି ଗୋଟିଏ ପ୍ରେସବାର୍ତା ମଧ୍ୟ ହେଉନି । ଏଥିରୁ ଅନୁମାନ କରାଯାଉଛି ବିଜେଡି କଂଗ୍ରେସକୁ ବଏକଟ କରିଛି ।
ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କେନ୍ଦ୍ରରୁ ‘ପାୱାର ପ୍ଲସ’ ମିଳିବା ପରେ ନିରଂଜନ ଘର ସଜାଡିବା ଆରମ୍ଭ କରିଛନ୍ତି । ନିଜ ଲୋକଙ୍କୁ ବିଭିନ୍ନ ସଂଗଠନର ଦାୟିତ୍ୱ ଦେଇ ତୃଣମୂଳସ୍ତରରୁ ଦଳକୁ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି । ଏଥିସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଛନ୍ତି । ଗତ କିଛିଦିନ ହେଲା କଂଗ୍ରେସ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଠା କରୁଛି । ପ୍ରାୟ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଦଳ ନୂଆ ନୂଆ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଟାର୍ଗେଟ କରୁଛି । ବିଶେଷ କରି ଚାଷୀ ସମସ୍ୟା, କୋଭିଡ ଦୁର୍ନୀତି, ବିଦ୍ୟୁତ ଘୋଟାଲା, ଷ୍ଟାଫ ସିଲେକ୍ସନ ଦୁର୍ନୀତି ଭଳି ଏକାଧିକ ପ୍ରସଙ୍ଗକୁ ନେଇ ଦଳର ତୁଙ୍ଗନେତାମାନେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି । ହେଲେ ବିଜେଡି କୌଣସି ଗୋଟିଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିନି ।
ବିଜେଡି କାହିଁକି କଂଗ୍ରେସ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଉନି? ବିଜେଡି କ’ଣ କଂଗ୍ରେସକୁ ପ୍ରମୁଖ ରାଜନୈତିକ ଦଳ ଭାବେ ଗ୍ରହଣ କରୁନି କି? ନା କଂଗ୍ରେସ ପ୍ରସଙ୍ଗକୁ ବଏକଟ କରୁଛି? ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କଂଗ୍ରେସ କିନ୍ତୁ ଏହାକୁ ଭିନ୍ନ ଢଙ୍ଗରେ ଗ୍ରହଣ କରିଛି । କଂଗ୍ରେସ କହିବାନୁସାରେ, ଦଳ ତଥ୍ୟ ଆଧାରରେ ସରକାରଙ୍କ ଦୋଷ ଦୁର୍ବଳତାକୁ ସମ୍ନାକୁ ଆଣୁଛି । ଏହାର ଜବାବ ଦେବାକୁ ସରକାର ତଥା ବିଜେଡି ପାଖରେ ଉତର ନାହିଁ । ନହେଲେ ବିଜେପି କ୍ଷେତ୍ରରେ ବିଜେଡି ପ୍ରତିକ୍ରିୟା ଦେଉଥିବା ବେଳେ କଂଗ୍ରେସ ପ୍ରସଙ୍ଗରେ ନିରବ ରହୁଛିି କାହିଁକି? ବିଜେଡି କଂଗ୍ରେସ ପ୍ରସଙ୍ଗରେ ପ୍ରତିକ୍ରିୟା ନଦେଇ ଘଟଣାକୁ ଚାପି ଦେବାକୁ ଚେଷ୍ଠା କରୁଛି । ହେଲେ କଂଗ୍ରେସ ଏବେ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଦଳର ଜଣେ ନେତା କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି । କଂଗ୍ରେସ ସହିତ ଲୋକେ ନାହାନ୍ତି । ଦଳ ପ୍ରସଙ୍ଗକୁ ଯେତେ ଲୋକଲୋଚନକୁ ଆଣିବାକୁ ଚେଷ୍ଠା କଲେ ମଧ୍ୟ କିଛି ଫଳପ୍ରଦ ହେଉନାହିିଁ । କଂଗ୍ରେସର ସ୍ଥିତି ଭଲ ନଥିବାରୁ ବିଜେଡି ମଧ୍ୟ ବିରୋଧୀ ଦଳ ଭାବେ ଗ୍ରହଣ କରୁନାହିଁ । ପ୍ରତିକ୍ରିୟା ନଦେବାର ଏହା ଗୋଟିଏ କାରଣ । ଅନ୍ୟଟି ହେଉଛି କଂଗ୍ରେସ ଯେଉଁ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛି, ସେ ସବୁ ତଥ୍ୟ ସରକାରଙ୍କ ଠାରୁ ସୂଚନା ଅଧିକାରୀ ଆଇନ ବଳରେ ଆସୁଛି । ତେଣୁ ବିଜେଡି ପାଖରେ ପ୍ରତିକ୍ରିୟା ଦେବାକୁ ରାସ୍ତା ନାହିଁ । କ’ଣ କହି ଦଳ ପ୍ରସଙ୍ଗକୁ ଏଡାଇବ, ତାହା କଷ୍ଠକର ହେଉଛି । ଏଥିସହିତ ବିଜେଡି ପ୍ରତିକ୍ରିୟା ଦେଲେ ପ୍ରସଙ୍ଗର ଗୁରୁତ୍ୱ ବଢିଯିବ, ତେଣୁ ବିଜେଡି ନିରବ ରହିବାକୁ ବାଧ୍ୟ ହେଉଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ସେ ଯାହା ହେଉ ବିଜେଡି ପ୍ରତିକ୍ରିୟା ନଦେବା କଂଗ୍ରେସକୁ ଅସମ୍ମାନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।