କର୍ଣ୍ଣାଟକ: ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିି ଆରମ୍ଭ କରିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଏବେଠୁ ପ୍ରସ୍ତୁତ ହେଲାଣି ବିଜେପି । ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପରେ ଦଳ ସରକାରରେ ମଧ୍ୟ ବଡ ପରିବର୍ତ୍ତନ କରିବାକୁ ଯାଉଛି । ସୂଚନା ଅନୁସାରେ ବିଜେପି କର୍ଣ୍ଣାଟକରେ ୫ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବ । ଯେଉଁଥିରେ ରାଜ୍ୟର ସବୁ ବର୍ଗଙ୍କୁ ନିଜ ଆଡକୁ ଟାଣିବ ଦଳ । ଏପଟେ ମୁଖ୍ୟମନ୍ତ୍ରୀ ହେବା ପରେ ବାସବରାଜ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହାସହ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ଆଲୋଚନା ହେବ । ୫ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ରୁ ୮ଜଣ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ସର୍ବାଧିକ ୩୪ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିବ । ବାସବରାଜ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମେ ୪ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୫ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି ।