ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ବିଜେପି: ବିଜେଡି

ଜଗତର ନାଥ ଜଗନ୍ନାଥ ତଥା ସମଗ୍ର ଓଡ଼ିଆ ଜାତିର ସବୁଠାରୁ ବଡ ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ବିଜେପି ନେତା ଯେଉଁ ରାଜନୀତି କରୁଛନ୍ତି ଏହା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ କୁମାର ଦାଶବର୍ମା ।ଶ୍ରୀ ଦାଶବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ପରିକ୍ରମା ପ୍ରକଳ୍ପକୁ ଜୋରଦାର ବିରୋଧ କଲେ ।

କାରଣ ଏମାନଙ୍କର ଲକ୍ଷ୍ୟ ହେଲା – ନା କାମ କରିବୁ, ନା କାମ କରାଇଦେବୁ। ଯଦି କିଛି ଭଲ କାମ ହେଲା ତାକୁ ଜୋରଦାର ବିରୋଧ କରିବୁ। ସମସ୍ତ ପ୍ରକାରର ଚେଷ୍ଟା ସତ୍ତ୍ୱେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଫଳତାର ସହ ଲୋକାର୍ପିତ ହେଲା।ବିଜେପିକୁ ଆମେ ଯେତେବେଳେ ଆହ୍ୱାନ ଦେଲୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଦି ଖରାପ ତାହେଲେ ତାଙ୍କ ଇସ୍ତାହାରରେ କୁହନ୍ତୁ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦେବେ।

ଏହାପରେ ସେମାନେ କଥା ବଦଳାଇବା ଆରମ୍ଭ କଲେ। ଓଡ଼ିଶାବାସୀ ଏଭଳି ଦୋମୁହାଁ ଚରିତ୍ର ଉପରେ ହସୁଛନ୍ତି।ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବିଜେପି ନେତା ଓଡିଶାବାସୀଙ୍କ ଭାବାବେଗ ଏବଂ ଓଡ଼ିଆ ଅସ୍ମିତା ସହ ଖେଳୁଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।