ପାଟନା: ସୋମବାର ଦିନ ବିହାର ବିଧାନସଭାରେ ଏକ ସାଂପ୍ରଦାୟିକ ଝଡ଼ ଉଠିଛି ଯାହାକୁ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରୁଛି ଉଭୟ ଶାସକ ଦଳ ଓ ବିରୋଧୀ ଦଳ । ବିଜେପି ବିଧାୟକ ହରିଭୂଷଣ ଠାକୁର ବଚୌଲଙ୍କ ପାଟିରୁ ବାହାରିଗଲା, ମୁସଲିମ ପରିବାର ବର୍ଷକୁ ୫୨ଟି ଜୁମା ପାଳନ କରୁଛନ୍ତି । ଚଳିତବର୍ଷ ଶୁକ୍ରବାର ଦିନ ହୋଲି ପଡୁଛି । ଯୋଉ ମୁସଲିମ ପରିବାର ମନରେ ରଙ୍ଗ ପଡ଼ିଯିବାର ଆଶଙ୍କା ରହିଛି । ସେମାନେ ହୋଲିଦିନ ଘର କବାଟ ବନ୍ଦ କରି ରହିଯିବା ଉଚିତ ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବଳରେ ବଳୀୟାନ୍ ବିଜେପି ବିଧାୟକଙ୍କ କଥାରେ ବାଟୁଳି ବାଜୁନି । ଯାହା ପାଟିକୁ ଆସୁଛି, ଆଗପଛ ବିଚାର ନକରି ଚଟାପଟ୍ କହି ପକାଉଛନ୍ତି । କେନ୍ଦ୍ର ବିଜେପିକୁ ଅଡୁଆରେ ପକାଇ ଦେଉଛନ୍ତି । ଏବେ ସେଇଆ ଘଟିବାକୁ ଯାଉଛି । ଆଗାମୀ ଦିନରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏମିତି ସମୟରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କଲେ ହୁଏତ ବିଜେପି-ଜେଡିୟୁ କ୍ଷମତାଚ୍ୟୁତ ହୋଇପାରନ୍ତି । ସେଥିପ୍ରତି ଦୃଷ୍ଟି ନଦେଇ ବିଧାୟକ ବଚୌଲ ଯୋଉ ବାଚାଳମି କଲେ, ତାକୁ ମାଡ଼ି ବସିଲେ ଆରଜେଡି ନେତା ତେଜସ୍ୱୀ ଯାଦବ ।
ସେ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହିତ ଗ୍ରହଣ କରି ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ ଦାବି କରିଛନ୍ତି । ବିଧାୟକ ବଚୌଲ ମଧୁବଣୀ ଜିଲ୍ଲାର ବିସ୍ଫି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି ।