ବିଜେଡିର ଫେକ୍‌ ଅଡିଓ ଭାଇରାଲ ପ୍ରସଙ୍ଗରେ ସିଇଓଙ୍କୁ ଅଭିଯୋଗ ପତ୍ର ଦେଲା ବିଜେପି

ସାଂପ୍ରଦାୟିକ ଉତେଜନା ସୃଷ୍ଟି କରି ଭୋଟ ହାତେଇବା ପାଇଁ ଚେଷ୍ଟା କରୁଛି ବିଜେଡି:ଡ. ଲେଖାଶ୍ରୀ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ଜିତିବା ଲାଗି ବିଜୁ ଜନତା ଦଳ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭୋଟରଙ୍କୁ ଭ୍ରମିତ କରୁଛି । ପୂର୍ବରୁ ବିଜୁ ଜନତା ଦଳ ପ୍ରଶାସନ ଅଧିକାରୀ, ଏସ୍‌ଏଚଜି, ଏମ୍‌ବିକେ, ସିଆରପି ମାଧ୍ୟମରେ ଟଙ୍କା ବଂଟନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ମିଥ୍ୟା ଅଡିଓର ଚକ୍ରାନ୍ତ କରି ଭୋଟରଙ୍କୁ ବିଚଳିତ କରିବାର ସମସ୍ତ ଅପଚେଷ୍ଟା କରିଥିଲା । ଏନେଇ ଭାରତୀୟ ଜନତା ପାର୍ଟି ସମସ୍ତ ତଥ୍ୟ ଓ ପ୍ରମାଣ ସହ ସିଇଓଙ୍କ ପାଖରେ ଫେରାଦ ହୋଇଥିଲା । ସିଇଓ ମଧ୍ୟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

କିନ୍ତୁ ଶାସକ ଦଳ ନସୁଧୁରି ପୁଣି ଏକ ମିଥ୍ୟା ଅଡିଓ ପ୍ରସ୍ତୁତ କରି ସାଧାରଣ ଭୋଟରଙ୍କୁ ଜୋର ଜବରଦସ୍ତ ପ୍ରଭାବିତ କରି ଭୋଟ ହାତେଇବାର ଅପଚେଷ୍ଟା କରିଛି । ବିଜେଡିର ଫେକ୍‌ ଅଡିଓରେ କୁହାଯାଇଛି ଯେ, ସ୍ୱାଧୀନପ୍ରାର୍ଥୀ ରାଜୁ ଦାସଙ୍କ ସମର୍ଥକମାନେ ଜଣେ ମୁସଲମାନ ଯୁବକଙ୍କୁ ଛୁରାମାଡ କରିଛନ୍ତି ।

ତିହିଡି ବ୍ଲକରେ ପୋଲିସ ବର୍ତମାନ ୧୪୪ଧାରା ଜାରି କରିଛି । କିନ୍ତୁ ବାସ୍ତବରେ ଏହି ଅଡିଓ ପଛରେ ବିଜୁ ଜନତା ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ହାତ ରହିଛି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଆଭିମୁଖ୍ୟରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି ।

ସୂଚନାଥାଉ କି, ଆସନ୍ତାକାଲି ଧାମନଗର ଉପନିର୍ବାଚନ ହେବାକୁ ଯାଉଛି ।ବିଜେଡି ହାରିବା ଭୟରେ ସାମ୍ପ୍ରଦାୟିକ ଦଙ୍ଗା ଓ ଉତେଜନା ସୃଷ୍ଟି କରି ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଚେଷ୍ଟା କରୁଛି । ଧାମନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିୟମକୁ ଖୋଲାଖୋଲି ଉଲଘଂନ କରୁଛି ବିଜୁ ଜନତା ଦଳ ।

ଏହି ଅଂଚଳରେ ମୁକ୍ତ, ନିରପେକ୍ଷ ଉପନିର୍ବାଚନ କରିବାକୁ ବିଜେପି ସିଇଓଙ୍କୁ ଦାବି କରିଛି । ଯେଉଁମାନେ ଏହି ମିଥ୍ୟା ଅଡିଓ କରିଛନ୍ତି ସେମାନଙ୍କ ବିରୋଧରେ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳିର ରାଜ୍ୟଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନାପ୍ରମୁଖ ଉପସ୍ଥିତ ଥିଲେ ।