ସ୍ୱର୍ଗଦ୍ୱାରକୁ ଘସି ଯୋଗାଇବ ବିଜେପି
ବିଜେପି ସରକାରରେ ଯେତେକ ଦକ୍ଷ ଆଇଏଏସ୍, ଆଇପିଏସ୍ ଅଧିକାରୀ ଅଛନ୍ତି । ସେମାନେ ସମସ୍ତେ ଚାକିରି ଛାଡ଼ି ରାଜ୍ୟର ୩୦ଟି ଜିଲ୍ଲାରେ ଗୋପାଳନ କେନ୍ଦ୍ର ପ୍ରତିଷ୍ଠା କରନ୍ତୁ । ସେମାନଙ୍କ ଗୋଶାଳାରୁ ସଂଗୃହୀତ ଘସି ସିଧା ପହଂଚିବ ପୁରୀ ସ୍ୱର୍ଗଦ୍ୱାରରେ । ଫଳରେ ସେଠାରେ ଶବଦାହ ପାଇଁ ଆଉ କାଠର ଆବଶ୍ୟକତା ପଡ଼ିବନି ।
ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ପରିଚାଳନାରେ ରାଜ୍ୟର ଗୋସଂପଦର ବିକାଶ ହୋଇପାରିବ । ଭୁବନେଶ୍ୱର ମହାନଗରରେ ଗୋପାଳନ ପ୍ରତି ନାନା କଟକଣା ଜାରି କରାଯାଇଛି । ଗୋପାଳକଙ୍କୁ ନାନା ହିନସ୍ତାର ଶିକାର ହେବାକୁ ପଡୁଛି ।
ଓମ୍ଫେଡ୍ ଭଳି ସଂସ୍ଥାଗୁଡ଼ିକ ରାଜ୍ୟର ଗୋପାଳକଙ୍କ ନିକଟରୁ ଖିର ସଂଗ୍ରହ କରୁଛନ୍ତି । ମାତ୍ର ଭୁବନେଶ୍ୱର ଭଳି ମହାନଗରରେ ଗାଈଗୋରୁଙ୍କୁ ପାଳନ କରିବା ସତେ ଯେପରି ଗୁରୁତର ଅପରାଧ ଭାବେ ବିବେଚନା କରାଯାଉଛି ।
୫୦ ବର୍ଷ ତଳେ ଭୁବନେଶ୍ୱର ପ୍ରାୟ ସବୁ ୟୁନିଟ୍ରେ ବହୁ ଗୋପାଳକଙ୍କୁ ଗୋରୁଗାଈ ରଖୁଥିବାର ଦେଖିବାକୁ ମିଳୁଥିଲା । ମାତ୍ର ସରକାରୀ ସ୍ତରରେ କାଞ୍ଜିଆହୁଦା ପ୍ରତିଷ୍ଠା କରାଯିବା ପରଠାରୁ ସହରରେ ଗୋପାଳନ ହାର କମିବାକୁ ଲାଗିଲା ।
ବହୁ ସରକାରୀ କର୍ମଚାରୀମାନେ ସରକାରୀ କ୍ୱାର୍ଟରରେ ଗୋରୁଗାଈ ରଖୁଥିଲେ । ମାତ୍ର ଏବେ ସେସବୁ ଦେଖିବାକୁ ମିଳୁନି । ରାଜ୍ୟର ଗୋସଂପଦ ପ୍ରତି ସମ୍ମାନଜନକ ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।
ଏବେ ପ୍ରଶ୍ନ ଉଠୁଛି ଯେ ଭୁବନେଶ୍ୱରର କଂକ୍ରିଟ୍ ଜଙ୍ଗଲ ଭିତରେ ଗୋରୁ ରଖିବା ପାଇଁ ସ୍ଥାନ ମିଳିବ ତ?