ଭୁବନେଶ୍ୱର,(ଏସ୍ ନ୍ୟୁଜ): କୋଭିଡ୍-୧୯ ଗାଇଡଲାଇନକୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଛନ୍ତି । କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଲାଗି ରହୁଥିବା ବେଳେ ଆଜି ଏତେ ସଂଖ୍ୟକ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ସମାଜ ଓ ଅନ୍ୟ ମହିଳାଙ୍କ ନିମନ୍ତେ ପ୍ରେରଣାଦାୟୀ ହେବ । ରାଜ୍ୟରେ ରକ୍ତଦାନ ଅଭାବକୁ ଦୂର କରିବା ନିମନ୍ତେ ୨୦୧୫ ମସିହାରେ ବିଜେଡି ସଭାପତିଙ୍କ ସାମାଜିକ ପ୍ରତିବଦ୍ଧତା ଓ ଦୂରଗାମୀ ନିଷ୍ପତ୍ତି ଏବେ ଏହି ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନ ବିନ୍ଦୁ’କୁ ଏକ ସାମାଜିକ ଅଭିଯାନରେ ପରିଣତ କରିପାରିଛି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏବେ ରାଜ୍ୟବ୍ୟାପୀ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେଉଥିବା ବେଳେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାପକ ଭାବେ କେବଳ ମହିଳାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି ।