ଦୁର୍ନୀତି କରିବା ଲୋକପ୍ରତିନିଧିଙ୍କର ଏକଚାଟିଆ ଅଧିକାର!

ନିକଟରେ ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬୩୯୦ ଜଣଙ୍କୁ ନିଯୁକ୍ତି ମିଳିଛି । ସରକାରୀ ଚାକିରିକୁ ଜନସେବାର ଏକ ମାଧ୍ୟମ ରୂପେ ଧରିନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଯୁକ୍ତି ପତ୍ର ବିତରଣ ଉତ୍ସବରେ କହିଛନ୍ତି । ତୃଣମୂଳ ସ୍ତରରେ ଯୋଜନାକୁ ରୂପାୟନ ଦାୟିତ୍ୱ ସରକାରୀ କର୍ମଚାରୀଙ୍କ କାନ୍ଧରେ । ୭ ମାସରେ ୬ ଥର ନିଯୁକ୍ତି ମେଳା ଆୟୋଜନ କରି ୨୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତ କରିବା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ।

କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ମୁଖରୁ ବାହାରିଥିବା କିଛି ଭାଷଣ ଆମକୁ ବୁଝାପଡୁନି । ସାର କହିଲେ, ‘ଆମ ସରକାର ସବୁବେଳେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଶାସନ ଓ ପ୍ରଶାସନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।’ ଦୁର୍ନୀତିଗ୍ରସ୍ତ କିଛି ସରକାରୀ ଅଧିକାରୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପୁରାଇ ସେମାନଙ୍କୁ ଗିରଫ କରିବା ଯଦି ବିଜେପି ସରକାରଙ୍କ ଦୁର୍ନୀତିମୁକ୍ତ ଅଭିଯାନ ହୁଏ, ତେବେ ଅତୀତରେ ବିଜେଡି ସରକାର ମଧ୍ୟ ସେଇ କାମ କରୁଥିଲା ।

ବିଜେପି ସରକାର ଏମିତି କି ବାହାଦୁରି କାମ କରୁଛି । ବାହାଦୁରି ଦେଖାଇବାର ଅଛି ତ କିଛି ଟାଣୁଆ ବିଜେଡି ନେତାଙ୍କୁ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ କରି ହାଜତକୁ ପଠାଇ ଟାଣପଣ ଦେଖାଅ । ମାର ମାର୍‌ ଭଣ୍ଡାରିଆକୁ ମାର’ ନୀତି ଆଦୌ ଭଲ ନୁହେଁ ।

ତଳସ୍ତରର କର୍ମଚାରୀମାନଙ୍କ ନିକଟରେ ଦୁର୍ନୀତି କରିବାର ସତ୍‌ସାହସ ନାହିଁ । ମାତ୍ର ଉପର ଅଧିକାରୀଙ୍କ ଟେବୁଲତଳିଆ ବେପାର ଦେଖିବା ପରେ ସେମାନେ ଖୁଲମଖୁଲା ଟଙ୍କା ଦେବାନେବା ଆରମ୍ଭ କରିଦିଅନ୍ତି ।

ଆମ କଥାଗୁଡ଼ାକ ମୋହନ ବାବୁଙ୍କୁ ଆଦୌ ଭଲ ଲାଗୁ ନଥିବ । ଆଚ୍ଛା, ମୋହନ ବାବୁ ଜଣେ ଜୁଡିସିଆଲ ଅଧିକାରୀଙ୍କ ନିକଟରେ ହଲପନାମାଟିଏ କରି କୁହନ୍ତୁ କି ତାଙ୍କ ଅଫିସର ସବୁ ଅଧିକାରୀମାନେ ପୁରାପୁରି ଧୁଆମୁଗ । ତାଙ୍କ ଅଧିନରେ କାମ କରୁଥିବା ସବୁ ପୁଲିସ ଅଧିକାରୀମାନେ ପୁରାପୁରି ଧୁଆମୁଗ । ଏଫ୍‌ଆଇଆରଟିଏ ପାଇବା ମାତ୍ରେ ତା’ର ନକଲ ଅଭିଯୋଗ ପ୍ରଦାନକାରୀଙ୍କ ହାତକୁ ବଢ଼ାଇ ଦେଉଛନ୍ତି ।