ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୪୦ ଜଣିଆ ପ୍ରଚାର କମିଟି ଗଠନ କରାଯାଇଛି । ବିଜେପି ପ୍ରଚାର ତାଲିକାରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ବହୁ ବରିଷ୍ଠ ନେତାମାନେ ଅଛନ୍ତି । ମାତ୍ର ଏକା ନବୀନ ପଟ୍ଟନାୟକ ସମସ୍ତଙ୍କ ଉପରେ ଭାରି ପଡ଼ିବେ ବୋଲି ସାଧାରଣରେ ଆଲୋଚନା ଚାଲିଛି । ବିଜେଡିକୁ ପରାଜିତ କରିବା ବିଜେପି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦଳରେ ଗୋଷ୍ଠୀ କନ୍ଦଳ ନାହିଁ ବୋଲି ଭୋଟରଙ୍କ ମନରେ ବିଶ୍ୱାସ ଜନ୍ମାଇବା ଆଉ ଏକ ଦୀର୍ଘମିଆଦି ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲ ବିଚାର କରୁଛି ।
ଧାମନଗର ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଠିଆ ହୋଇଥିବାରୁ ବିଜେପି ତା’ର ଫାଇଦା ଉଠାଇବାକୁ ପୁରା ଦମ୍ ଲଗାଇବ । ମାତ୍ର ବିଜେଡିର କିଛି ସ୍ଥାନୀୟ ନେତା କହିଛନ୍ତି, ବିଜେଡିର ଭୋଟ ବିଭାଜନ ଆଶଙ୍କା ନାହିଁ । ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ଯେଉଁ ବ୍ୟକ୍ତିଙ୍କୁ ଆପଣମାନେ ଭାବୁଛନ୍ତି । ଧାମନଗର ଭୋଟରଙ୍କ ଦୃଷ୍ଟିରେ ତାଙ୍କର ପରିଚୟ ବୋଲି କିଛି ନାହିଁ । ବିଜେଡିର ଏକମାତ୍ର ବଳିଷ୍ଠ ପରିଚୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ଅନ୍ୟ ସବୁ ପରିଚୟ ହଜିଯିବ । ବିଜେଡି ପ୍ରାର୍ଥୀ ଆରାମରେ ଜିତିବେ । ଦଳର ବହୁ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।
ଏହି ଉପନିର୍ବାଚନ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପାଇଁ ଏସିଡ୍ ଟେଷ୍ଟ । ଏହା ପୂର୍ବରୁ ଯେତୋଟି ଉପନିର୍ବାଚନ ହୋଇଛି, ସେସବୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପାଦନ ହୋଇଥିଲା । କଂଗ୍ରେସ ସଭାପତି ହେବାପରେ ଶରତ ପଟ୍ଟନାୟକ ପ୍ରଥମ ଉପନିର୍ବାଚନକୁ ସାମ୍ନା କରୁଛନ୍ତି । ଜାତୀୟ ସ୍ତରରେ ରାହୁଲ ଗାନ୍ଧୀ ‘ଭାରତ ଯୋଡେ଼ା’ ଅଭିଯାନ ଚାଲିଥିବାରୁ ରାଜ୍ୟ ଉପନିର୍ବାଚନକୁ କିଛି ଫାଇଦା ମିଳିବାର ଆଶା କରିଛନ୍ତି କିଛି ବରିଷ୍ଠ କଂଗ୍ରେସ ନେତା ।
କିନ୍ତୁ ଦଳର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧାମନଗର ଉପନିର୍ବାଚନ ଉପରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଅଭିଯାନର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି । ନବଗଠିତ ସଂଗଠନ ‘ଆମ ଜନତା ଦଳ’ ପକ୍ଷରୁ କୌଣସି ପ୍ରାର୍ଥୀ ଠିଆ ହୋଇନାହାନ୍ତି । ମାତ୍ର ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ‘ଆମ ଜନତା ଦଳ’ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟି ଚାଳନା କରିବ ବୋଲି ବହୁପୂର୍ବରୁ କହିସାରିଛି ।