ଠକ ବ୍ୟବସାୟୀଙ୍କ ସୁରକ୍ଷା କବଚ ‘ନିର୍ବାଚନୀ ବଣ୍ଡ୍‌’

୨୦୧୮ରୁ  ନିର୍ବାଚନୀ ବଣ୍ଡ୍‌ କାର୍ଯ୍ୟକାରୀ ହୋଇଛି…..

ନୂଆଦିଲ୍ଲୀ: ‘ନିର୍ବାଚନୀ ବଣ୍ଡ୍‌’କୁ ସବୁଠାରୁ ସ୍ୱଚ୍ଛ ଦାବି କରୁଥିବା କେନ୍ଦ୍ର ସରକାରଙ୍କ ବଳିଷ୍ଠ ଯୁକ୍ତିକୁ ଦୃଢ଼ତାର ସହ ଖଣ୍ଡନ କରିଛି ଆରପିଡି । ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଗଠିତ ‘ରାଇଟ୍‌ ପର୍ସନ୍‌ସ ଡ୍ରାଇଭ’ ସଂଗଠନ ‘ନିର୍ବାଚନୀ ବଣ୍ଡ୍‌’କୁ ଦେଶ ଭିତରେ କଳାଟଙ୍କାକୁ ଧଳା କରିବାର ସରଳ ବାଟ ବୋଲି କହିଛି । ମାମଲାଟି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ ସେ ସଂପର୍କରେ ଅଧିକ କିଛି କହିବା ଠିକ୍‌ ହେବନି ବୋଲି ଆରପିଡି ଆବାହକ ସୁଶାନ୍ତ ସର୍ବେଶ୍ୱର ଦାସ କହିଛନ୍ତି।

୨୦୧୭ରେ ପ୍ରଥମେ ନିର୍ବାଚନୀ ବଣ୍ଡ ଯୋଜନା ଘୋଷଣା କରାଯାଇଥିଲା । ୨୦୧୮ରୁ  ନିର୍ବାଚନୀ ବଣ୍ଡ୍‌ କାର୍ଯ୍ୟକାରୀ ହୋଇଛି । ମାମଲା ତାଲିକାଭୁକ୍ତ ହେବାର ୧୮ ମାସ ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବିଚାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର) ସମେତ ଆହୁରି କିଛି ସଂଗଠନ ନିର୍ବାଚନୀ ବଣ୍ଡକୁ ଚାଲେଞ୍ଜ କରିଛନ୍ତି।

ସୂଚନା ମୁତାବକ ବର୍ଷକୁ ଚାରିଥର ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବରରେ ନିର୍ବାଚନୀ ବଣ୍ଡ୍‌ ବିକ୍ରି ହେଉଛି । ଏହା ଜରିଆରେ ରାଜନୈତିକ ଦଳଗୁଡ଼ିକ ପାଣ୍ଠି ସଂଗ୍ରହ କରୁଛନ୍ତି । ୧୦୦୦ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କ୍ରୟ କରିବାର ସୁବିଧା ରଖାଯାଇଛି । ଏହି ବଣ୍ଡ କ୍ରେତାଙ୍କ ନାମ ଗୋପନ ରଖିବାର ସରଳ ଉପାୟ ଥିବାରୁ ଦେଶ ଭିତରେ କୋଟିକୋଟି କଳାଟଙ୍କା ରୋଜଗାର କରୁଥିôବା ବ୍ୟବସାୟୀମାନେ ସରକାରୀ ଛାଟରୁ ରକ୍ଷା ପାଇବା ପାଇଁ ନିର୍ବାଚନୀ ବଣ୍ଡ୍‌ କିଣି ନିରାପଦ ରହିପାରିବେ ବୋଲି ଆରପିଡି ବୁଝାଇ ଦେଇଛି।

କଳାଟଙ୍କାକୁ ଧଳା କରିବା ପାଇଁ ରାଜନୈତିକ ଦଳକୁ ପାଣ୍ଠି ଦେବାର ବ୍ୟବସ୍ଥା କରି ନିର୍ବାଚନ ଆୟୋଗ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛନ୍ତି । ଆରପିଡି ମତରେ ରାଜନୈତିକ ଦଳକୁ ଆୟକର ଟିକସ ଅନ୍ତର୍ଭୁକ୍ତ କରାଯିବା ଦରକାର କାରଣ ଆଜିର ରାଜନୈତିକ ଦଳ ଆଉ ସେବା ପ୍ରଦାନକାରୀ ସଂସ୍ଥା ହୋଇ ରହିନାହାନ୍ତି । ରାଜନୀତିକୁ ବ୍ୟବସାୟରେ ପରିଣତ କରୁଥିବା ରାଜନୈତିକ ଦଳକୁ ଆୟକର ଟିକସରୁ ବାଦ ଦେଇ ନିର୍ବାଚନ କମିଶନ ଦୁର୍ନୀତିର ଜାତୀୟକରଣ କରୁଥିବାର ଦେଶବ୍ୟାପୀ ଆଲୋଚନା ଚାଲିଛି।

ନିର୍ବାଚନୀ ବଣ୍ଡ ଜରିଆରେ ମୁଷ୍ଟିମେୟ ଲୋକ ନାମକୁ ମାତ୍ର ରାଜନୈତିକ ଦଳ ପ୍ରତିଷ୍ଠା କରି କଳା ବ୍ୟବସାୟୀଙ୍କ ଉପରେ ଚାପ ପକାଇ ମୋଟାଅଙ୍କର ଚାନ୍ଦା ଆଦାୟ କରି ଆରାମରେ ଜୀବନଯାପନ କରୁଛନ୍ତି ମାତ୍ର ନିର୍ବାଚନରେ ଅଂଶଗ୍ରହଣ କରୁନାହାନ୍ତି । ସେଭଳି ଠକ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣକୁ ବାତିଲ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଅଧିକାର ଦିଆଯଏ।