ନବୀନଙ୍କୁ ଗୁରୁଦକ୍ଷିଣା ଦେବାର ସମୟ ଆସିଯାଇଛି । ପାଣ୍ଡିଆନଙ୍କୁ ସୁପର୍ ଚିଫ୍ ମିନିଷ୍ଟର୍ କ୍ଷମତା ପ୍ରଦାନ କରି ନବୀନ ବାବା ତାଙ୍କ ବାତ୍ସଲ୍ୟ ରସ ପ୍ରମାଣ କରିଛନ୍ତି ।
ଏବେ ପାଣ୍ଡିଆନ ନୂଆପଡ଼ା ଆସନକୁ ବିଜେଡି କବଳକୁ ଆଣି ବାବାଙ୍କ ପ୍ରତି ଭକ୍ତି ରସ ପ୍ରମାଣ କରନ୍ତୁ ।
ଏମିତି ଏକ ଶୀତଳ ବାୟୁ ନୂଆପଡ଼ା ଆସନଟି ଖାଲି ହେବା ପରଠାରୁ ଓଡ଼ିଶା ରାଜନୀତିରେ ପ୍ରବେଶ କରିଛି ।
ନୂଆପଡ଼ାରେ ବିଜେଡିକୁ ଜିତାଇ ବାବୁ ପାଣ୍ଡିଆନ୍ ନବୀନ ବାବା ଓ ବିଜେଡି ପ୍ରତି ଆନୁଗତ୍ୟକୁ ପ୍ରମାଣ କରିବେ କି? ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷକୁ ଉଚିତ ଜବାବ ଦେବା ପାଇଁ ୟା’ଠାରୁ ବଢ଼ିଆ ସମୟ ଆଉ ମିଳିବନି ।
୨୦୨୪ ନିର୍ବାଚନରେ ବିଜେଡିର ଦଶା ଏତେ ତଳକୁ ଚାଲିଯିବ ବୋଲି ରାଜ୍ୟର ସାଢ଼େ ଚାରିକୋଟି ଜନତା ଜାଣି ନଥିଲେ । ମାତ୍ର ନବୀନ ବାବା ଓ ପାଣ୍ଡିଆନ ଚେଲା ଭଲ ଭାବରେ ଜାଣିଥିଲେ ।
ରାଜ୍ୟ ସଚିବାଳୟ ଓ ହୋଟେଲ ମେ’ ଫେୟାରରେ ବିଜେପି ସୂତ୍ରଧର ଅମିତ ଶାହଙ୍କ ସହ ବିଜେଡି ବାବା ଓ ଚେଲାଙ୍କ ଭିନ୍ନ ଭିନ୍ନ କବାଟ କିଳା ଆଲୋଚନା ବିଜେଡିର ଭାଗ୍ୟ ନିର୍ଣ୍ଣୟ କରି ଦେଇଥିଲା ।
ରାଜ୍ୟର ଧୂରୀଣ ସାମ୍ବାଦିକ ଗଣ ନିର୍ବାଚନ-୨୪ ଫଳାଫଳ ସଂପର୍କରେ ଭବିଷ୍ୟବାଣୀ କରି ସାରିଥିଲେ ।
ରାଜ୍ୟ ରାଜନୀତିକୁ ୨୪ ବର୍ଷ ଧରି ଅନୁଧ୍ୟାନ କରୁଥିବା ବୁଦ୍ଧିଜୀବୀଙ୍କ ଅନ୍ତରାତ୍ମା ମଧ୍ୟ କୋଉଠି ନା କୋଉଠି ବିଜେଡି ବାବାଙ୍କୁ ଚେଙ୍କଟିଏ ଦେବା ନିହାତି ଦରକାର ବୋଲି କହୁଥିଲା ।
ପରିଣାମରେ ବିଜେଡିର ଐତିହାସିକ ପରାଜୟ ରାଜ୍ୟର ସାଢ଼େ ଚାରିକୋଟି ଜନତା ଦେଖିଲେ । ୨୪ ବର୍ଷ ଧରି ଶାସନ କରିବା ପରେ ମଧ୍ୟ ଲୋକସଭାର ଗୋଟିଏ ଆସନ ଦଖଲ କରିବାର ଦକ୍ଷତା ଓ ଯୋଗ୍ୟତା ବିଜେଡି ପାଖରେ ନଥିଲା ।
ଓଡ଼ିଶାର କିଛି ଜ୍ୟୋତିଷ ଓ ପଣ୍ଡିତମାନେ ନବୀନ ବାବା ଯେ ପର୍ଯ୍ୟନ୍ତ ଚାଲବୁଲ କରୁଥିବେ, ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇ ରହିବେ, ତାଙ୍କୁ ହଟାଇବାର ତାକତ୍ କାହା ପାଖରେ ନାହିଁ ବୋଲି ଭବିଷ୍ୟବାଣୀ କରୁଥିଲେ ।
ସେମାନଙ୍କ ଜ୍ୟୋତିଷ ପଣିଆ ଛାଡ଼ିଗଲା ।
ଏମିତି ମଧ୍ୟ ହୋଇପାରେ, ବିଜେଡି ନିକଟରୁ ଟଙ୍କା ନେଇ ସଂପୃକ୍ତ ଜ୍ୟୋତିଷ ଓ ପଣ୍ଡିତମାନେ ଲୋକଙ୍କ କାନରେ ଅଚୁ୍ୟତାନନ୍ଦଙ୍କ ମାଳିକା ଉଦାହରଣ ଦେଇ ନବୀନଙ୍କ ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ଅଯାଚିତ କୃପା ବିଷୟ ପ୍ରଚାର କରୁଥିବେ ।
ବିଜେଡି ବାବାଙ୍କ ହିନସ୍ତା ଏବେ କାହାକୁ ଅଛପା ନାହିଁ । ଚେଲା ପାଣ୍ଡିଆନଙ୍କ ମୁଖ୍ୟମନ୍ତ୍ରୀ ନିଶା ଚକନାଚୁର ହୋଇଗଲା । ଏବେ ପୁଳାଏ ଲୋକ ବିଜେଡି-ବିଜେପି ଗୋପନ ପ୍ରଣୟ କଥା ପ୍ରଚାର କରୁଛନ୍ତି ।
ୟା’ ଭିତରେ ବିଜେଡି ଗୁହାଳରେ ପାଣ୍ଡିଆନଙ୍କ ଉପସ୍ଥାନ ଦେଖିବାକୁ ମିଳୁଛି ।
ବୋଧହୁଏ ବିଜେଡି ଦଳରେ ପାଣ୍ଡିଆନଙ୍କ ଆବିର୍ଭାବକୁ ସହି ପାରିଲେନି ଶ୍ରୀମୟୀ । ମହାପ୍ରଭୁଙ୍କ ଚକ୍ରବ୍ୟୁହ କେହି ତ୍ରାହି ପାରିନାହାନ୍ତି ।