ଡେରାଡୁନ୍: ହିମାଚଳ ପ୍ରଦେଶରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ଧାରା ଚାଲିଆସିଛି । ତେଣୁ ଏଥର ବିଜେପି ଦ୍ୱିତୀୟ ବାର କ୍ଷମତା ଦଖଲ କରିବା ଉପରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ହିମାଚଳ ପ୍ରଦେଶରେ ସରକାରୀ ଚାକିରିଆଙ୍କ ସଂଖ୍ୟା ଅଧିକ । ବିଶେଷ କରି ସରକାରୀ ଚାକିରିଆଙ୍କୁ ଖୁସି କରି ପାରୁଥିବା ରାଜନୈତିକ ଦଳ କ୍ଷମତାକୁ ଯିବାର ସମ୍ଭାବନା ଅଧିକ । ଏବେ ହିମାଚଳ ପ୍ରଦେଶରେ ବିଜେପି ଶାସନ କରୁଛି । ବିଜେପି ସରକାରଙ୍କ କେତୋଟି ପଦକ୍ଷେପ ସରକାରୀ ଚାକିରିଆଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।
ଏଥର ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଲଢୁଛି । ଆପ୍ ନେତା ହରଜୋତ ସିଂହ ବୈଂଶ ହିମାଚଳ ପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ମହଙ୍ଗା ମାଡ଼, ବେକାରୀ ସମସ୍ୟା ଓ ସରକାରୀ କର୍ମଚାରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗକୁ ପ୍ରସଙ୍ଗ କରି କଂଗ୍ରେସ ବେଶ ଲାଭଜନକ ସ୍ଥିତିରେ ଅଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପକ୍ଷେ କ୍ଷମତା ଦଖଲ ସହଜ ହେବ ନାହିଁ । ବିଜେପି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।
ମାତ୍ର ପଞ୍ଜାବ ନିର୍ବାଚନରେ ଆପ୍ ଜିତାପଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ଭୋଟରମାନେ ଆପ୍ ସପକ୍ଷରେ ମତଦାନ କରିବାର ଆଶଙ୍କା ରହିଛି । ଆପ୍ କ୍ଷମତାକୁ ନଗଲେ ମଧ୍ୟ କିଛି ଆସନ ଦଖଲ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ୧୯୮୦ରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିଲା । ୧୯୮୫ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ଥର ପାଇଁ ସରକାର ଗଠନ କଲା । ୧୯୯୦ରେ ବିଜେପି ୪୬ଟି ଆସନ ଦଖଲ କରି ସରକାର ଗଠନ କଲା । କିନ୍ତୁ ୧୯୯୨ରେ ବାବରି ମସଜିଦ ଭଙ୍ଗା ଘଟଣାକୁ କେନ୍ଦ୍ର କରି ହିମାଚଳ ପ୍ରଦେଶରେ ହିଂସାକାଣ୍ଡ ଉଗ୍ରରୂପ ଧାରଣ କଲା । ଫଳରେ ବିଜେପି ହାତକୁ କ୍ଷମତା ଚାଲିଗଲା ।
୧୯୯୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିଲା । ବରିଷ୍ଠ ନେତା ବୀରଭଦ୍ର ସିଂହ ମୁଖ୍ୟମନ୍ତ୍ରୀ ହେଲେ । ୧୯୯୮ରେ ବିଜେପି କ୍ଷମତା ଦଖଲ କଲା ଓ ବିଜେପି ନେତା ପ୍ରେମ କୁମାର ଧୁମଲ ମୁଖ୍ୟମନ୍ତ୍ରୀ ହେଲେ । ୨୦୦୩ରେ କଂଗ୍ରେସ ୪୩ଟି ଆସନ ଜିତି ସରକାର ଗଠନ କଲା ଓ ବୀରଭଦ୍ର ସିଂହ ମୁଖ୍ୟମନ୍ତ୍ରୀ ହେଲେ । ୨୦୦୭ରେ ବିଜେପି ୪୧ ଓ କଂଗ୍ରେସ ୨୩ଟି ଆସନ ପାଇଥିଲା । ବିଜେପିର ପ୍ରେମ କୁମାର ଧୁମଲ ମୁଖ୍ୟମନ୍ତ୍ରୀ ହେଲେ ।
୨୦୧୨ରେ କଂଗ୍ରେସ ୩୬ ଓ ବିଜେପି ୨୬ଟି ଆସନ ଜିତିଲା । କଂଗ୍ରେସ ନେତା ବୀରଭଦ୍ର ସିଂହ ମୁଖ୍ୟମନ୍ତ୍ରୀ ହେଲେ, ମାତ୍ର ପରବର୍ତୀ ନିର୍ବାଚନରେ କ୍ଷମତାକୁ ଫେରିପାରିଲେ ନାହିଁ । ୨୦୧୭ରେ ବିଜେପି ସରକାର ଗଠନ କଲା ସିନା ପୂର୍ବତନ ମୁଖ୍ୟମନ୍ତ୍ରୀ ଧୁମଲ ନିର୍ବାଚନରେ ହାରିଗଲେ । ୨୦୧୭ ନିର୍ବାଚନରେ ବିଜେପି ୬୮ଟି ଆସନରୁ ୪୪ ଆସନ ପାଇ ସରକାର ଗଠନ କଲା । କଂଗ୍ରେସକୁ ୨୧ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା ।
୨୦୨୩ ଜାନୁଆରୀରେ ହିମାଚଳ ପ୍ରଦେଶରେ ବିଜେପି ସରକାରଙ୍କ କାର୍ଯ୍ୟକାଳ ସରୁଛି । ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ସାରିବାକୁ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ହିମାଚଳ ପ୍ରଦେଶର ପ୍ରାୟ ୫୫ ଲକ୍ଷ ଭୋଟରଙ୍କ ଭିତରୁ ୨୭ ଲକ୍ଷ ୮୦ ହଜାର ପୁରୁଷ ଭୋଟର ଓ ୨୭ ଲକ୍ଷ ୨୭ ହଜାର ମହିଳା ଭୋଟର ଅଛନ୍ତି । ୧ ଲକ୍ଷ ୬୦ ହଜାର ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ ।
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୭ ଅକ୍ଟୋବର ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୭ ଅକ୍ଟୋବରରେ ନାମାଙ୍କନ ପତ୍ର ଯାଂଚ କରାଯିବ । ୨୯ ଅକ୍ଟୋବର ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ । ୧୨ ନଭେମ୍ବରରେ ମତଦାନ ଗ୍ରହଣ କରାଯିବ । ୮ ଡିସେମ୍ବରରେ ଫଳାଫଳ ଘୋଷଣା କରାଯିବ । ଦିବ୍ୟାଙ୍ଗ ଓ ବୟସ୍କ ନାଗରିକଙ୍କ ପାଇଁ ଘରେ ରହି ମତଦାନ ବନ୍ଦୋବସ୍ତ କରାଯାଇଛି ।