ଏବେ ନିର୍ବାଚନ ହେଲେ ଏନ୍‌ଡିଏ ପାଇବ ୩୫୦

ଦେଶରେ ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ….

ନୂଆଦିଲ୍ଲୀ: ଦେଶରେ ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିପୁଳ ଜନ ସମର୍ଥନ ରହିଛି। ତେଣୁ ଏବେ ଯଦି ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ୩୫୦ରୁ ଅଧିକ ଆସନରେ ବିଜୟୀ ହେବ।
ଇଣ୍ଡିଆ ଟୁଡେ ଓ ସି ଭୋଟର ପକ୍ଷରୁ କରାଯାଇଥିବା ‘ମୁଡ ଅଫ୍‌ ଦି ନେସନ୍‌’ ନାମକ ସର୍ଭେ ରିପୋର୍ଟରେ ଏପରି ଆକଳନ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ୨୦୨୫ରେ ଅନୁଷ୍ଠିତ ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନର ଫଳ ଏନ୍‌ଡିଏ ପ୍ରତି ଲୋକଙ୍କ ଜନସମର୍ଥନ ରହିଥିବା ପ୍ରମାଣିତ କରିଥିଲା। ସେହିପରି ୨୦୨୬ରେ ମଧ୍ୟ ଏନଡିଏ ପ୍ରତି ଅନୁରୂପ ଜନସମର୍ଥନ ରହିଥିବା ସର୍ଭେରେ କୁହାଯାଇଛି। ଜାନୁଆରୀ ମାସରେ ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ତେବେ ଏନଡିଏ ୩୫୨ଟି ଆସନ ପାଇପାରିବ।

ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ଲୋକପ୍ରିୟତା ହ୍ରାସ ପାଇଥିବା ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି, ଏବେ ଲୋକସଭା ନିର୍ବାଚନ ହେଲେ ଇଣ୍ଡି ମେଂଟ ୧୮୨ଟି ଆସନ ପାଇବ। ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଂଟ ୨୩୪ଟି ଆସନ ପାଇଥିଲା। ସେହିପରି ଏବେ ନିର୍ବାଚନ ହେଲେ ଏନଡିଏର ଭୋଟ ସେୟାର ୪୬.୭%ରୁ ୪୭%କୁ ବଢିବ ବୋଲି କୁହାଯାଇଛି। ମାତ୍ର ଇଣ୍ଡି ମେଂଟର ଭୋଟ ସେୟାର ୪୦.୯%ରୁ ୩୯%କୁ ହ୍ରାସ ପାଇବ। ଚଳିତବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜେପି କେବେହେଲେ କ୍ଷମତା ହାସଲ କରିପାରି ନାହିଁ। ପଶ୍ଚିମବଙ୍ଗରେ ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତେବେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହାର ସଫଳତା ବଜାୟ ରଖିବ। ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ଟି ଆସନରୁ ୨୯ଟିରେ ବିଜୟୀ ହୋଇଥିଲା। ବିଜେପି ୧୨ଟି ଆସନ ପାଇଥିଲା। ଏବେ ଲୋକସଭା ନିର୍ବାଚନ ହେଲେ ତୃଣମୂଳ କଂଗ୍ରେସର ଆସନ ସଂଖ୍ୟା ୨୮କୁ ହ୍ରାସ ପାଇବ ଓ ବିଜେପିର ଆସନ ସଂଖ୍ୟା ୧୪କୁ ବଢିବ ବୋଲି ସର୍ଭେରେ ଆକଳନ କରାଯାଇଛି।