ଗର୍ଜନ କଲେ ଚଳିବନି, ଦମ୍‌ ଦେଖାଅ: ଏଜେଡି

ସରକାରୀ କଳର ଦୋଷତ୍ରୁଟିକୁ ଭଲ କରି ସମାଲୋଚନା କରିଥିଲେ…

ଭୁବନେଶ୍ୱର: ‘୨୦୦୯ ମସିହାରୁ ଗର୍ଜନ ତର୍ଜନ କରୁଛ, ନାନା ଅଭିଯୋଗରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ପୋତି ପକାଉଛ । କ’ଣ ଉପାଡୁଛ? ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛ । ସରକାରୀ କଳର ଦୁର୍ବଳ ଓ କଳଙ୍କିତ ଶାସନକୁ ଠିକ୍‌ ଭାବରେ ଲୋକଙ୍କ ନିକଟରେ ଉପସ୍ଥାପନ କରି ଭୋଟରଙ୍କ ମନକୁ ଜିତି ନପାରିଲେ, ତମ ଗର୍ଜନର କୌଣସି ଫରକ ପଡ଼ିବନି ।’

ଆଜି ରାଜଭବନ ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନକୁ ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଛି ‘ଆମ ଜନତା ଦଳ’ । ବିଜେପିର ତଥାକଥିତ ହେଭିୱେଟ୍‌ (ବାସ୍ତବରେ ହେଭିୱେଟ୍‌ ବୋଲି ଜଣେ କେହି ନଥିଲେ) ନେତାମାନେ ରାଜଭବନ ଆଗରେ ରୁଣ୍ଡ ହୋଇ ସରକାରୀ କଳର ଦୋଷତ୍ରୁଟିକୁ ଭଲ କରି ସମାଲୋଚନା କରିଥିଲେ ।

ମାଇକ୍ରୋଫୋନ୍‌ ନିକଟରେ ଠିଆ ହୋଇ ଯେତେଜଣ ନେତା ସରକାରଙ୍କ ଗାତ୍ର ଦାହ କରୁଥିଲେ; ତାଙ୍କ ଭିତରୁ କୌଣସି ଜଣେ ନେତାଙ୍କର ଦମ୍‌ ଥିଲାଭଳି ଜଣାପଡୁ ନଥିଲା ବୋଲି ଆମ ଜନତା ଦଳ ପ୍ରତିକ୍ରିୟାରେ ଜଣାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କର ମନମୁଖୀ ଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଟାର୍ଗେଟ୍‌ କରିଛନ୍ତି । ‘ଇଏ କି ପ୍ରକାର ଧାରଣା ଯୋଉଠି ଅଧିକାଂଶ ବିଜେପି ନେତା ବିଜେଡିର ଦୁର୍ନୀତିଗ୍ରସ୍ତ ରାଜନେତା ଅବା ପ୍ରଶାସନିକ ମହଲର କୌଣସି ଅଧିକାରୀଙ୍କ ନାମ ଉଚ୍ଚାରଣ କରିବାର ସତ୍‌ସାହସ ହରାଇଛନ୍ତି’, କହିଛି ଆମ ଜନତା ଦଳ ।