‘ପୂର୍ବୋଦୟରୁ ଭାରତର ଉଦୟ ।’ ଏମିତି ଏକ ଓଜନିଆ ସ୍ଲୋଗାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଟିରୁ ବାହାରିଥିଲା । ପୂର୍ବୋଦୟରୁ ଭାରତର ଉଦୟ କେତେ ଦୂର ସତ ହୋଇଛି, ତାହା ପ୍ରଧାନମନ୍ତ୍ରୀ ଜାଣନ୍ତି । ମାତ୍ର ଭାରତୀୟ ଗଣତନ୍ତ୍ରରେ ଧର୍ମଗୁଳା ବା ପର୍ଚି ସଂସ୍କୃତିର ବହୁଳ ବ୍ୟବହାର କୋଉଠି ନା କୋଉଠି ଆମକୁ ଅନାଇ ମୁରୁକି ହସୁଛି ।
ସଂକ୍ଷେପରେ କହିଲେ, ବିଶ୍ୱାସ ଓ ଭରସାର ଅନ୍ୟ ନାମ ହେଉଛି ପର୍ଚି । ଡାକ୍ତରଖାନାରେ ଡାକ୍ତରଙ୍କ ଲିଖିତ ପର୍ଚି ଲକ୍ଷ ଲକ୍ଷ ପୀଡ଼ିତଙ୍କ ଜୀବନ ରକ୍ଷା କରିଥାଏ କିନ୍ତୁ ତା’ ଉପରେ କ’ଣ ଲେଖା ହୋଇଛି ତାହା ସମସ୍ତେ ପଢ଼ି ପାରନ୍ତିନି । ଭାରତରେ ବସବାସ କରୁଥିବା ଲୋକମାନେ ପର୍ଚି ସଂସ୍କୃତି ସହିତ ଭଲ ଭାବରେ ଜଡ଼ିତ ।
ଆଦର୍ଶ ରାଜନୀତି ମୁତାବକ ସବୁଠାରୁ ଅଧିକ ବିଧାୟକ ଯୋଉ ନେତାଙ୍କୁ ଦଳପତି ଭାବେ ବାଛନ୍ତି, ତାଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବା କଥା । ମାତ୍ର ପ୍ରକୃତରେ ସେଭଳି କିଛି ଦେଖିବାକୁ ମିଳେନା । କେତୋଟି କାଗଜ ଟୁକୁଡ଼ା ଉପରେ ପ୍ରସ୍ତାବିତ ନେତାଙ୍କ ନାଁ ଲେଖି ପକାଇ ଦିଆଯିବ । ଦଳୀୟ ନେତା ଯୋଉ ପର୍ଚିକୁ ଉଠାଇ ନାମ ଘୋଷଣା କରିବେ, ତାଙ୍କୁ ବିଧାୟକ ଦଳ ନେତା ଘୋଷଣା କରି ଦିଆଯିବ, ମୁଖ୍ୟମନ୍ତ୍ରୀ ଚଉକିରେ ବସାଇ ଦିଆଯିବ ।
ତେଣୁ ଭାରତକୁ ପର୍ଚି ପ୍ରଧାନ ଦେଶ ଭାବେ ବିବେଚନା କରିବା ଆଦୌ ଭୁଲ ନୁହେଁ । ଆଜି ଇନ୍ଦ୍ରପ୍ରସ୍ଥ ନିକଟରେ ଚିକ୍କଣ ରାସ୍ତା ଓ ମେଟ୍ରୋ ଟ୍ରେନ ଅଛି । ମାତ୍ର ଶୁଦ୍ଧ ବାୟୁ ଓ ବିଶୁଦ୍ଧ ପାଣି ଅଭାବ ।
ପର୍ଚି ଇତିହାସ ବହୁତ ପୁରୁଣା । ମିଶର, ମେସୋପଟାମିଆ ଓ ଭାରତରେ ତାଳପତ୍ର, ଭୂଜପତ୍ର ଓ ମାଟିରେ ତିଆରି ସ୍ଲେଟ୍ ବ୍ୟବହାର କରାଯାଉଥିଲା । ମୋଗଲ ଶାସନ ସମୟରେ ବେପାରୀ ବଣିକମାନେ ଛୋଟ ଟିପାଖାତା ବ୍ୟବହାର କରୁଥିଲେ । ପାର୍ସୀ ଓ ଆରବି ପ୍ରଭାବର ଆଧୁନିକ ରୂପ ପର୍ଚି ହୋଇଗଲା ।
ଭାରତୀୟ ରାଜନୀତିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ନୀତି ଓ ମହାତ୍ମା ଗାନ୍ଧୀଙ୍କ ସର୍ବୋଦୟ ନୀତି ମଧ୍ୟ ପର୍ଚି ସଂସ୍କୃତିର ଏକ ଅଂଶ । ଭାରତୀୟ ରାଜନୀତିରେ ଯେତେବେଳେ ସଂଶୟ ଉପୁଜିଛି, ପର୍ଚି ତା’ର ସମାଧାନ କରିଛି । ପର୍ଚି ବଳରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଚଉକି ମିଳିବା କେବଳ ଭାରତୀୟ ରାଜନୀତିରେ ସମ୍ଭବ ।