ସହଜ ହେବନି କଂଗ୍ରେସ-ଆପ୍‌ ଆସନ ବୁଝାମଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ରବିବାରଠାରୁ ଆସନ ବୁଝାମଣା ଆଲୋଚନା ଆରମ୍ଭ ହୋଇଛି । ଏହି କ୍ରମରେ ସୋମବାର ମଧ୍ୟାହ୍ନ ୧୨ଟାରେ କଂଗ୍ରେସ ଓ ଆପ୍‌ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାର ନିଷ୍ପତି ନିଆଯାଇଛି ।

ନବଗଠିତ ଇଣ୍ଡିଆ ମେଂଟରେ କ୍ଷମତାସୀନ ଆଂଚଳିକ ଦଳ ସହିତ ଆସନ ବୁଝାମଣା କରି ଲୋକସଭା ନିର୍ବାଚନ ଲଢ଼ିବ କଂଗ୍ରେସ । ଦିଲ୍ଲୀରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ଆପ୍‌ ସରକାର ଗଠନ କରିଛି । କଂଗ୍ରେସ ଓ ଆପ୍‌ ଭିତରେ ଅହି-ନକୁଳ ସଂପର୍କ ରହିଛି; କିନ୍ତୁ ବିଜେପି ମେଂଟକୁ କ୍ଷମତାଚ୍ୟୁତ କରିବା ଉଦ୍ଦେଶ୍ୟରେ ଦୁଇ ଦଳ ବୁଝାମଣା ପାଇଁ ରାଜି ହୋଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ସଲମନ ଖୁର୍ସିଦ ।

ଦିଲ୍ଲୀରେ କଂଗ୍ରେସ-ଆପ୍‌ ଆସନ ବୁଝାମଣା ଅସମ୍ଭବ ପ୍ରାୟ ମନେହୁଏ । ପଞ୍ଜାବରେ ଅନୁଷ୍ଠିତ ଜନ ସମାବେଶରେ ଯୋଗଦାନ କରି ଅରବିନ୍ଦ କେଜ୍ରିୱାଲ ତେରଟି ଯାକ ଲୋକସଭା ଆସନରେ ଆପ୍‌ ପ୍ରାର୍ଥୀଙ୍କୁ ଜିତାଇବାକୁ କହିଥିଲେ । କେଜ୍ରିୱାଲଙ୍କ ବୟାନ କଂଗ୍ରେସକୁ ଅସନ୍ତୁଷ୍ଟ କରିଛି । ପଞ୍ଜାବରେ କଂଗ୍ରେସ ଆପ୍‌ ସରକାରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ।