ମିଛୁଆ ଜୟଶଙ୍କର : ସତ କହିବାର ସାହସ ହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ

ପାକିସ୍ତାନରେ ଆଶ୍ରିତ ଆତଙ୍କୀ ସଂଗଠନଗୁଡ଼ିକୁ ନିପାତ କରିବା ପାଇଁ ଭାରତ ସରକାର ‘ଅପରେସନ୍ ସିନ୍ଦୁର’ ଅଭିଯାନ ଆରମ୍ଭ କଲା । ‘ଅପରେସନ ସିନ୍ଦୁର’ ପୂର୍ଣ୍ଣତଃ ସଫଳ ହୋଇଛି ବୋଲି ଭାରତ ସରକାର ଦାବି କରି ଆସୁଛନ୍ତି । ସଦନରେ ବିଜେପି ସଭ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜୟଗାନ କରୁଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ଉଚ୍ଚ ପ୍ରଶଂସା କରୁଛନ୍ତି ।

ଯଦି ‘ଅପରେସନ୍ ସିନ୍ଦୁର’ ସଫଳ ହେଲା । ତେବେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଉପୁଜିଲା କୋଉ ପରିସ୍ଥିତିରେ? ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗତୁରା ସୋସିଆଲ ମିଡିଆରେ ଟ୍ୱିଟ୍ କରି ଭାରତ-ପାକ୍ ସିଜ୍ ଫାୟାର କଥା ଉଲ୍ଲେଖ କରିବା ପଛର କାହାଣୀ କ’ଣ?
ଏଭଳି କିଛି ପ୍ରଶ୍ନ ପଚାରି ତା’ର ଉପଯୁକ୍ତ ଜବାବ କ୍ଷମତାସୀନ ମେଂଟ ସରକାରଙ୍କ ନିକଟରୁ ଆଦାୟ କରି ଦେଶବାସୀଙ୍କ ଆଗରେ ଉପସ୍ଥାପନ କରିବା ଉଚିତ ଥିଲା । ମାତ୍ର କଂଗ୍ରେସ ଏପରି ଭାବେ ଆଲୋଚନା ଆରମ୍ଭ କଲା ଓ ମୋଦି କ୍ୟାବିନେଟକୁ ପ୍ରଶ୍ନ ପଚାରିଲା ଯାହା ଅପରେସନ୍ ସିନ୍ଦୁର ଆଲୋଚନାକୁ ଗୋଳମାଳିଆ କରିଦେଲା ।

‘ପେହେଲଗାମ ଆତଙ୍କୀ ହମ୍‌ଲା’, ‘ଅପରେସନ୍ ସିନ୍ଦୁର’, ‘ଭାରତ-ପାକ୍ ଅସ୍ତ୍ରବିରତି ଘୋଷଣା’ । ଏହି ତିନୋଟି ଯାକ ପ୍ରସଙ୍ଗ ବିଜେପିର ଦେଶପ୍ରେମକୁ ଏକ ମହାନାଟକ ବୋଲି ପ୍ରମାଣିତ କରିଛି ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ୱାଶିଂଟନ ପୋଷ୍ଟ’ ଭଳି ବିଦେଶୀ ଗଣମାଧ୍ୟମକୁ ଡାକି ସେମାନଙ୍କ ଆଗରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଭାରତ-ପାକ୍ ଅସ୍ତ୍ର ବିରତି’ ସଂପର୍କୀତ ଟ୍ୱିଟ୍‌କୁ ତୀବ୍ର ପ୍ରତିବାଦ କରିବା ଜରୁରୀ ଥିଲା । ସେଭଳି କିଛି ନକରି ପ୍ରଧାନମନ୍ତ୍ରୀ ମୋଦି ମୌନବ୍ରତ କରିବାର ମାନେ କ’ଣ ହୋଇପାରେ?
ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର କଂଗ୍ରେସରେ ଉପସ୍ଥିତ ରହି ଦୃଢ଼ତାର ସହିତ କହିଲେ ଯେ ସେ ଭାରତ-ପାକ୍ ଉପରେ ବାଣିଜ୍ୟ ରାଜିନାମା ଚାପ ପକାଇ ଏକ ମହାଯୁଦ୍ଧକୁ ଅଟକାଇ ପାରିଛନ୍ତି । ଟ୍ରମ୍ପ ଗୋଟିଏ କଥାକୁ ୨୯ ଥର କହିବାର ମାନେ କ’ଣ ?

ସଦନ ଭିତରେ ବିଦେଶ ମନ୍ତ୍ରୀ ଜୟଶଙ୍କର ବୟାନକୁ ୧୪୩ କୋଟି ଜନତା ଆଦୌ ବିଶ୍ୱାସ କରିନାହାନ୍ତି । ମୋଦୀଙ୍କ ସହିତ ଆଲୋଚନା ନକରି ରାଷ୍ଟ୍ରପତି ଟ୍ରମ୍ପ କୋଉ ସାହସରେ ସୋସିଆଲ ମିଡିଆରେ ଭାରତ-ପାକ୍ ଅସ୍ତ୍ର ବିରତିକୁ ଆଗୁଆ ଘୋଷଣା କଲେ, ତା’ର ଜବାବ ଜୟଶଙ୍କରଙ୍କ ନିକଟରେ ଅଛି?