ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଅଧିକାଂଶ ଆଦିବାସୀ ଗାଁରେ ପିଲାଙ୍କ ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ହୋଇଯାଇଛି । ପିଲାଙ୍କ ଉପସ୍ଥାନ ସଂଖ୍ୟା କମି ଯାଉଥିବାର କାରଣ ଦର୍ଶାଇ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦେଉଛନ୍ତି । ସବୁଠାରୁ ବଡ଼ ଦୁଃଖର କଥା ହେଉଛି, ବନ୍ଦ କରି ଦିଆ ଯାଉଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଉଛି । କିନ୍ତୁ ବନ୍ଦ କରି ଦିଆଯାଉଥିବା ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ଦିଗରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି । ଖାସ୍ ସେହି କାରଣରୁ କାଲିମେଳା ବ୍ଲକର ୨୪୩ ଜଣ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି ।
ଆମ ନିକଟରେ ଥିବା ତଥ୍ୟ ମୁତାବକ ମାଲକାନଗିରି ଜିଲ୍ଲାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏକାଧିକ ଆଦିବାସୀ ଗାଁରେ ୨୪ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ଫଳରେ ସେହିସବୁ ବିଦ୍ୟାଳୟରେ ନାମ ଲେଖାଇଥିବା ୨୪୩ ଜଣ ପୁଅଝିଅଙ୍କ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି ।
ଜନଜାତିଙ୍କ ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ୱକୁ ବଖାଣିବାରେ ମାନ୍ୟବର ପ୍ରଧାନମନ୍ତ୍ରୀ କୁଣ୍ଠାବୋଧ କରୁନାହାନ୍ତି, କିନ୍ତୁ ଜନଜାତି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଉଦାସୀନତା ଦେଖାଉଛନ୍ତି । କେବଳ ମାଲକାନଗିରି ଜିଲ୍ଲାରେ ଜନଜାତି ପିଲାଙ୍କ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇନି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଅନୁସୂଚୀତ ଜାତି ଓ ଜନଜାତିର ପିଲାଙ୍କ ଉପସ୍ଥାନ ସଂଖ୍ୟା କମିଯାଉଛି ।
ପିଲାଙ୍କ ପାଠପଢ଼ା ପ୍ରତି ଅଧିକାଂଶ ଜନଜାତି ପରିବାର ଆଗ୍ରହ ପ୍ରକାଶ କରୁନାହାନ୍ତି । ବିଶେଷ କରି ଖଟିଖିଆ ଜନଜାତି ପରିବାରରେ ବାପାମା’ମାନେ ପିଲାଙ୍କୁ ପାଠ ପଢ଼ିବା ବଦଳରେ କାମ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି ।
ଅଧିକରୁ ଅଧିକ ଜନଜାତି ପିଲାଙ୍କୁ ଶିକ୍ଷିତ କରାଇବା ଉଦ୍ଦେଶ୍ୟ ରଖି ଆଗପଛ ବିଚାର ନକରି ଆବଶ୍ୟକ ମୁତାବକ ବିଦ୍ୟାଳୟ ତୁଳନାରେ ଅଧିକ ବିଦ୍ୟାଳୟ ଖୋଲି ଦିଆଯିବା ରାଜ୍ୟ ସରକାରଙ୍କୁ ବିପୁଳ କ୍ଷତିରେ ପକାଇଛି । କିନ୍ତୁ କିଛି ଠିକାଦାରଙ୍କୁ ମାଲାମାଲ କରିଛି ।
ଜନଜାତି ପୁଅଝିଅଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ।