କୋଲକାତା: ଦୁଇ ବର୍ଷ ପରେ ପୁଣି ଥରେ ତୃଣମୂଳ କଂଗ୍ରେସର ଚିର ପରିଚିତ କାର୍ଯ୍ୟକ୍ରମ ପ୍ରସ୍ତୁତ । ସହିଦ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ୨୦୨୪ ପାଇଁ ହୁଙ୍କାର ଭରିବେ । ଟିଏମସି ୧୯୯୮ରୁ ଏହି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ହେଲେ କୋଭିଡ ପ୍ରୋଟୋକଲ କାରଣରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାରିନଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଦଳ କେମିତି ଲଢିବ ଏଠାରୁ ରୋଡ ମ୍ୟାପ ପ୍ରସ୍ତୁତ ହେବ । ମମତା କହି ଆସିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ହେବା ଦରକାର । ତୃଣମୂଳ କଂଗ୍ରେସ ଦେଶର ଅନ୍ୟ ରାଜ୍ୟରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଛି । ଦଳ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରି ସାରିଛି ୨୦୨୪ରେ ବିଜେପି ହିଁ ତାର ମୂଳ ପ୍ରତିଦ୍ୱନ୍ଦ୍ୱୀ । ଏହି କାର୍ଯ୍ୟକ୍ରମକୁ ନେଇ ଟିଏମସିର ପ୍ରସ୍ତୁତି ଜୋରସାରରେ ଚାଲିଛି । ପାର୍ଟି ପକ୍ଷରୁ ସମର୍ଥକଙ୍କ ରହିବା ପାଇଁ ବିଭିନ୍ନ ଷ୍ଟାଡିୟମ ଏବଂ ଅନ୍ୟ ସ୍ଥାନରେ ବ୍ୟବସ୍ଥା କରିଛି । ଟିଏମସି ନେତାଙ୍କ ମୁତାବକ, ଏହି ରାଲିରେ ୧୦ ଲକ୍ଷ ଲୋକଙ୍କ ଭିଡ ଜମିବାର ଅନୁମାନ କରାଯାଉଛି ।