ମନୋଜ ଆହୁଜା ରାଜ୍ୟର ନୂଆ ଶାସନ ସଚିବ

ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା । ଏବେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କୁ ଆସନ୍ତା ୩୦ ତାରିଖରେ ଅବସର ଲାଗି ସରକାର ଅନୁମତି ଦେଇଛନ୍ତି । ମନୋଜ ଆହୁଜା ହେବାକୁ ଯାଉଛନ୍ତି ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ।

ମନୋଜ ଆହୁଜା ହେଉଛନ୍ତି ୧୯୯୦ କ୍ୟାଡର ଆଇଏଏସ୍ ଅଧିକାରୀ । ସେ ଖୋର୍ଦ୍ଧାର ଜିଲ୍ଲାପାଳ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ । ୨୦୧୦ ମସିହାରେ ଖଣି ଓ ଇସ୍ପାତ ବିଭାଗର ସଚିବ, ୨୦୧୨ ଯୁବ ଓ କ୍ରୀଡ଼ା ସଚିବ, ୨୦୧୫ରେ ସମବାୟ ସଚିବ ଭାବେ କାର୍ୟ୍ୟ କରିସାରିଛନ୍ତି । ୨୦୧୭ ଡିସେମ୍ବରରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

ଏହାପରେ ସିବିଏସଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ । ଏମିତି କି, ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ୟ୍ୟ କରୁଥିଲେ । ବିଭିନ୍ନ ବିଭାଗର ସଚିବ ଭାବେ କାର୍ୟ୍ୟ କରିବା ସହ ମନୋଜ ଆହୁଜାଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ମନୋଜଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ପ୍ରଦୀପ ଜେନା ଜୁନ ୩୦ ତାରିଖରେ ଅବସର ନେଉଛନ୍ତି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।