ନୀତୀଶଙ୍କ ଡଙ୍ଗା ଟଳମଳ, କୂଳରେ ଲଗାଇବେ ମୋଦି
ପାଟନା: ନୀତୀଶ କୁମାରଙ୍କ ବେଳା ଆଦୌ ଭଲ ନାହିଁ । ବିଜେପିକୁ ଆଡେଇ ଦେଇ ନୀତୀଶ ଆରଜେଡିକୁ ହାତ କରି ମୁଖ୍ୟମନ୍ତ୍ରୀ ଆସନଟିକୁ ସୁରକ୍ଷିତ କରିଦେଲେ । ମାତ୍ର ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଜେଡିୟୁ ମାତ୍ର ୬ଟି ଆସନରେ ସୀମିତ ରହିବା ଜଳଜଳ ଦିଶିଲାଣି । ଜେଡିୟୁରୁ କିଛି ବରିଷ୍ଠ ନେତା ବିଜେପି ଆଡକୁ ଅନାଇଲେଣି । ନୀତୀଶଙ୍କ ଘନିଷ୍ଠ ଲଲନ ସିଂ ଜେଡିୟୁ ଛାଡ଼ିବା ପାଇଁ ହୁଙ୍କାର ଦେଲେଣି ।
ମୋଦୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ନୀତୀଶ ପଶ୍ଚିମବଙ୍ଗ ମମତା ଦିଦିଙ୍କ ସହ ସଲାସୁତୁରା କରି ଇଣ୍ଡିଆ ମେଂଟ ତିଆରି କଲେ ।
ମାତ୍ର ଉକ୍ତ ମେଂଟର ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ପକ୍ଷରୁ ଖଡଗେଙ୍କ ନାମ ସାମ୍ନାକୁ ଆଣିବାରୁ ନୀତୀଶଙ୍କ ମୁହଁ ଶୁଖିଗଲା । ଆରଜେଡି ଭୀଷ୍ମ ଲାଲୁ ଯାଦବ ମଧ୍ୟ କଂଗ୍ରେସ ପ୍ରସ୍ତାବକୁ ପ୍ରତିବାଦ କଲେନି ।
ଏ ଘଟଣାଟି ନୀତୀଶଙ୍କ ମନକୁ ଭାଙ୍ଗିଦେଇଛି । ଇତିମଧ୍ୟରେ ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଡାକରା ପାଇ ନୂଆଦିଲ୍ଲୀ ଯାଇଛନ୍ତି । ସବୁ ଦିଗରୁ ବୁଝିବିଚାରି ନୀତୀଶ ପୁଣି ଏନଡିଏ ଆଡକୁ ପାଦ ବଢ଼ାଇବାର ଆଶଙ୍କା ବୃଦ୍ଧି ପାଇଛି ।