ଆକ୍ସନ ମୋଡରେ ମୋହନ ସରକାର

ରାତି ଅଧିଆ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ମୁଖ୍ୟ ପ୍ରଶାସକ ବଦଳାଇଛନ୍ତି ରାଜ୍ୟ ସରକାର । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଦାୟିତ୍ୱ । ଗୁରୁବାର ରାତି ଅଧିଆ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି ।

୧୦ ବର୍ଷ ପରେ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଇଛନ୍ତି ଆଇଏଏସ ଅଧିକାରୀଙ୍କ ଅରବିନ୍ଦ ପାଢୀ । ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ୟ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା । ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ୟ୍ୟ କରିଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ । ବୀର ବିକ୍ରମ ଯାଦବ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପାଇଥିଲେ। ଏବେ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ଦାୟିତ୍ୱ ମିଳିଛି ।