ନବଦାସଙ୍କ ହତ୍ୟାକାଣ୍ଡ ବିଜେଡିର ଘରୋଇ ମାମଲା: ଏଜେଡି
ମାତ୍ର ଆମ ଜନତା ଦଳ ପକ୍ଷରୁ ସେଭଳି କିଛି ମନ୍ତବ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମକୁ ଆସିପାରିନି…
ଭୁବନେଶ୍ୱର: ନବଦାସଙ୍କ ହତ୍ୟାକାଣ୍ଡକୁ ବିଜେଡିର ଘରୋଇ ମାମଲା କହି ଏଡ଼ାଇଯାଇଛି ଆମ ଜନତା ଦଳ । ଆଜି ରାଜଭବନ ନିକଟରେ ବିଜେପିର ବିକ୍ଷୋଭ ପ୍ରଦର୍ଶନକୁ ଦେଖି ଫେରୁଥିବା ବେଳେ ସାକ୍ସି ନ୍ୟୁଜର ବରିଷ୍ଠ ସାମ୍ବାଦିକଙ୍କ ନଜରରେ ପଡ଼ିଯାଇଥିଲେ ଆମ ଜନତା ଦଳ ନେତା ସୀତାରାମ ବେହେରା । ନବଦାସଙ୍କ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇ ଥିଲାବେଳେ କଂଗ୍ରେସ ମଧ୍ୟ ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଛି । ମାତ୍ର ଆମ ଜନତା ଦଳ ପକ୍ଷରୁ ସେଭଳି କିଛି ମନ୍ତବ୍ୟ ଏ ପର୍ଯ୍ୟନ୍ତ ଗଣମାଧ୍ୟମକୁ ଆସିପାରିନି ।
ଗଣମାଧ୍ୟମ ପ୍ରତିନିଧିଙ୍କ ଏ ପ୍ରକାର ମନ୍ତବ୍ୟରେ ଏଜେଡି ନେତା ସୀତାରାମ ବେହେରା କହିଛନ୍ତି, ପରଲୋକଗତ ନବଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାରର ସଭ୍ୟ ଥିଲେ । ତାଙ୍କର ମୃତ୍ୟୁକୁ କେନ୍ଦ୍ର କରି ବିଜେଡିର କୌଣସି ସାଂସଦ, ବିଧାୟକ କି ଅନ୍ୟ କୌଣସି ନେତା ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିବାର ସତସାହସ ହରାଇଛନ୍ତି । ତାକୁ ନେଇ ଆମେ ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ ।
ଓଡ଼ିଶାବାସୀ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦେଖାଇ ତାଙ୍କ ପୁଅକୁ ଭୋଟ ଦେଇ ଆସୁଛନ୍ତି । ତା’ର ସୁଯୋଗ ପାଇ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ବ୍ୟକ୍ତିଗତ ଫାଇଦାକୁ ଦୃଷ୍ଟିରେ ରଖି ନବଦାସ କଂଗ୍ରେସରୁ ବିଜେଡିକୁ ଡେଇଁ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବଦାସଙ୍କୁ ତାଙ୍କୁ କ୍ୟାବିନେଟ୍ରେ ସ୍ଥାନ ଦେଇଥିଲେ । ଷଡ଼ଯନ୍ତ୍ର ହେଉ କି ବ୍ୟକ୍ତିଗତ ଆକ୍ରୋଶ କାରଣରୁ ହେଉ, ନବଦାସଙ୍କ ପିଣ୍ଡରୁ ପ୍ରାଣ ଚାଲିଯିବା ଯେତିକି ସତ; ତାଙ୍କ ପରିବାରକୁ ରାଜନୈତିକ ଥଇଥାନ କରାଯିବା ସେତିକି ସତ ।
ନବଦାସଙ୍କ ପରେ ତାଙ୍କ ପୁଅ କି ଝିଅକୁ ବିଧାୟକ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉତର ଦାୟିତ୍ୱ ତୁଲାଇବେ । ଏହାକୁ ବିଜେପି କି କଂଗ୍ରେସ ହଜମ କରି ପାରୁନାହାନ୍ତି; ତେଣୁ ନାନା ଅଭିନୟ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେପି କେନ୍ଦ୍ରରେ ଶାସନ କରୁଛି, ଏଠି ରାଜଭବନ ଆଗରେ ଧାରଣା ଦେବା ଅପେକ୍ଷା ମୋଦୀଙ୍କୁ କହି ନବଦାସଙ୍କ ହତ୍ୟା ମାମଲାଟିକୁ ସିବିଆଇ ଆପଣା ହାତକୁ ନେବାରେ ଅସୁବିଧା କ’ଣ? ଏମିିତି ତ ଅର୍ଚ୍ଚନା ନାଗ ମାମଲାଟିକୁ ଇଡି ଆପଣା ଛାଏଁ ହାତକୁ ନେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନବଦାସଙ୍କର କ’ଣ ବିବାଦ ଥିଲା? ସେ କାହିଁକି ନବଦାସଙ୍କୁ ହତ୍ୟା କରିବା ପାଇଁ ପୁଲିସ କର୍ମଚାରୀଙ୍କୁ ଆଦେଶ ଦେବେ? ଏ ବିଷୟକୁ ନେଇ ଆମେ ମୁଣ୍ଡ ଖେଳାଇବା ଅନାବଶ୍ୟକ ।