ଅଂଟିରେ ନିଆଁ ରଖି ଭୁଲ କରୁଛନ୍ତି ନବୀନ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଟିରେ ଯୋଉ ନିଆଁକୁ ଧରି ରଖିଛନ୍ତି..

ଭୁବନେଶ୍ୱର: ବିଜେଡିକୁ ଅଳିଆ କରୁଛନ୍ତି ପୁରୁଣା ନେତା ଓ ସେମାନଙ୍କ ବଂଶ ପରିବାର । ପ୍ରତାପନଗରୀର ଗୋଟିଏ ଘରୋଇ ବସର ଦୁଇଜଣ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଅଭିଯୁକ୍ତ କରିଛି ପୁଲିସ । ଏ ସଂପର୍କିତ ଏକ ଭିଡିଓ ଭାଇରାଲ୍‌ ହୋଇଛି । ଧାମନଗରରେ ବିଜେପି ଏକ ଜାଲ ଭିଡିଓ ତିଆରି କରି ନାରୀଶକ୍ତିକୁ ଅପମାନିତ କରୁଛି ବୋଲି ବିଜେଡି ନେତ୍ରୀ ଇପ୍‌ସିତା କହିଛନ୍ତି ।

ଇପ୍‌ସିତାଙ୍କ କହିବା ଅର୍ଥ ରାଜ୍ୟର ନାରୀଶକ୍ତିକୁ ବିଜେଡି ନେତାମାନେ ଉପଯୁକ୍ତ ସମ୍ମାନ ଦେଇ ଆସୁଛନ୍ତି । କିଛିଦିନ ତଳେ ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ର କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ପୁତୁରା ଅମରେନ୍ଦ୍ର ଓରଫ ଭିକି ଜଣେ ମହିଳାଙ୍କୁ ଗାଳିଗୁଲଜ କରୁଥିଲେ । ସେଠି କ’ଣ ବିଜେପି ଅଭିଯୁକ୍ତ ଭିକିଙ୍କୁ ଟଙ୍କା ଦେଇ ମହିଳାଙ୍କୁ ଅପମାନିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲା ଓ ପରେ ସେହି ଭିଡିଓ ଭାଇରାଲ୍‌ କରି ବିଜେଡିକୁ ବଦନାମ ପାଇଁ ବ୍ୟବହାର କରିଥିଲା ।

ସତ କହିବାକୁ ଗଲେ, ନବୀନବାବୁଙ୍କଠାରୁ ଅଭୟ ପାଇ ବିଜେଡିର ବହୁ ତୁଙ୍ଗ ନେତା ଓ ସେମାନଙ୍କର ପରିବାରର ଲୋକମାନେ ସ୍ୱେଚ୍ଛାଚାରୀ ହୋଇଗଲେଣି । ଯାହା ମନକୁ ଆସୁଛି, ଆଗପଛ ବିଚାର ନକରି କରୁଛନ୍ତି ଓ ବିଜେଡିକୁ ବଦନାମ କରୁଛନ୍ତି । ଟଙ୍କିକିଆ ଚାଉଳ ଦେଇ ବିଜେଡି ଗରିବ ଲୋକଙ୍କ ଝିଅବୋହୂଙ୍କ ମାନସମ୍ମାନ ସହିତ ଖେଳିପାରିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଟିରେ ଯୋଉ ନିଆଁକୁ ଧରି ରଖିଛନ୍ତି; ସେଇ ନିଆଁରେ ବିଜେଡି ଜଳିପୋଡ଼ି ପାଉଁଶ ହୋଇଯିବ ।

ଅସାମାଜିକ ଯୁବକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେଡିରେ ରଖି ନବୀନବାବୁ ନିଜେ ବଦନାମ ହେଉଛନ୍ତି । ପୁଲିସ ଅଭିଯୁକ୍ତ ଅମରେନ୍ଦ୍ରକୁ ଜେଲକୁ ପଠାଇ ତା’ କାମ କରିଛି । ପ୍ରାୟ ୧୪ଟି ଥାନାରେ ଅମରେନ୍ଦ୍ରଙ୍କ ନାମରେ ମାମଲା ଗଡୁଛି । ସେଭଳି ଉଦଣ୍ଡ ଯୁବକ ଓ ତାଙ୍କ ଦାଦା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେଡିରୁ ବାହାର କରି ଦିଆଯିବା ଦରକାର ବୋଲି ଏନ୍‌ୟୁବିସି ନେତା ସୀତାରାମ କହିଛନ୍ତି।

ବିଜେଡିରେ ମାଳମାଳ ଭିକି ଅଛନ୍ତି । ଆଗକୁ କଲେଜ ନିର୍ବାଚନ ହେବ; ସେ ସମୟରେ ବହୁତ ଭିକି ବିଜେଡିରେ ମିଶିବେ । ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । କଲେଜରୁ ସଂଗ୍ରହ କରାଯାଇଥିବା ଭିକିମାନେ ଦଳର ପତାକା ଧରି ବାଇକରେ ବୁଲିବେ ।

କେବଳ ବିଜେଡି ନୁହେଁ, ସବୁ ରାଜନୈତିକ ଦଳ ସବୁ କଲେଜରୁ ଭିକିମାନଙ୍କୁ ଧରି ଦଳୀୟ କାମରେ ବ୍ୟବହାର କରନ୍ତି । ନିରୀହ ଛାତ୍ରମାନେ କଲେଜରେ ପାଠ ପଢୁପଢୁ କେତେବେଳେ ଅପରାଧ ଜଗତରେ ପାଦ ଦିଅନ୍ତି, ଜାଣିପାରନ୍ତି ନାହିଁ । ପରେ ପୁଲିସ ହାତରେ ଧରାପଡ଼ି ଜେଲ ଯିବାପରେ ନେଡିଗୁଡ଼ କହୁଣୀକୁ ବୋହି ଯାଇଥାଏ । ସେତେବେଳେ ରାଜନେତା ଓ ସେମାନଙ୍କର ଦଳ ବିନା ଅଭିଯୁକ୍ତ ଭିକିମାନଙ୍କ ନିକଟରେ ବିକଳ୍ପ କିଛି ନଥାଏ ।