‘ଅପରେସନ୍ ସିନ୍ଦୁର’ ଫେଲ୍: ବିଜେପି ଭିତରେ ମୋଦିଙ୍କ ପତିଆରା କମିଲାଣି

ତୃତୀୟ ବାର ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ନରେନ୍ଦ୍ର ମୋଦିଙ୍କ ଛବି ମଉଳିବାକୁ ଲାଗିଛି । ଦଳର ଯୋଉ ତୁଙ୍ଗ ନେତାଗଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାରିପଟେ ଥରୁଟେ ବୁଲିବା ପାଇଁ ଦିନ ଦିନ ଘଂଟା ଘଂଟା ଅପେକ୍ଷା କରୁଥିଲେ, ସେହି ନେତାମାନେ ମୋଦିଜୀଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରୁଛନ୍ତି। ଯୋଉ ମୋଦିଜୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇପାଖରେ ଲୋକଙ୍କ ଭିଡ ଜମୁଥିଲା । ସେହି ମୋଦିଜୀଙ୍କ କାର ପଟୁଆରକୁ ଲୋକମାନେ ଜାଣିଶୁଣି ଅଣଦେଖା କରୁଛନ୍ତି । #OperationSindoor

ପହଲଗାମ ଆତଙ୍କୀ ହମ୍‌ଲା ସଂପର୍କରେ ଆଗୁଆ ସୂଚନା ପାଇବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଜୀ କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ନ ଦେବା ତାଙ୍କୁ ଭାରି ପଡ଼ିଗଲା ।

ପହଲଗାମ ଆତଙ୍କୀ ହମ୍‌ଲା ଘଟଣାରେ ଆପଣା ଦୋଷକୁ ଲୁଚାଇବା ପାଇଁ ସେନା ବଳରେ ସୀମାପାର ଆତଙ୍କୀ ବିରୋଧରେ ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରିବା ଓ ତାକୁ ଭାରତ-ପାକ୍ ଯୁଦ୍ଧ ଦର୍ଶାଇ ତିନିଦିନ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚାପରେ ପଡ଼ି ବନ୍ଦ କରିଦେବା, ସବୁ କେମିତି ଗୋଟିଏ ଚଳଚ୍ଚିତ୍ର କାହାଣୀ ଭଳି ଲାଗୁଛି ।

ସେନାବାହିନୀର ବାହାଦୁରିକୁ ଆପଣା ବାହାଦୁରି ଦର୍ଶାଇ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସଂଖ୍ୟାଗରିଷ୍ଠ ଆସନରେ ଜିତାଇବା ମତଲବରେ ମୋଦିଜୀ ଯାହା ସବୁ କରୁଛନ୍ତି, ତାହା ତାଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରୁଛି । ସେ କଥା ବିଜେପି ଜାଣି ସାରିଲାଣି । ବିଜେପି ଭିତରେ ମୋଦି-ଅମିତ ଗୋଷ୍ଠୀ ଓ ମୋଦି ବିରୋଧୀ ଗୋଠ ମୂଳଦୁଆ ପଡ଼ିଲାଣି । #BJP