ଭୁବନେଶ୍ୱର: ୨୦୨୭ରେ ହେବ ପଂଚାୟତ ନିର୍ବାଚନ। ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ପଂଚାୟତିରାଜ ବିଭାଗ ଚିଠି ଲେଖିଛି। ୱାର୍ଡ ମେମ୍ବର, ସରପଂଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ୱାର୍ଡ ମେମ୍ବର, ସରପଂଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ କରିବେ।
୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ। ସେହିପରି ଜିଲ୍ଲା ପରିଷଦ ସଦସ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୭ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରିବେ। ୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନ କ୍ରମେ ୩୦ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ। ପଛୁଆ ବର୍ଗଙ୍କ ପାଇଁ ୨୭ପ୍ରତିଶତ ଯାଏଁ ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ।
ସୂଚନା ଥାଉକି, ୨୦୨୨ରେ ୫ଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ହୋଇଥିଲା। ୮୫୨ଟି ଜିଲ୍ଲା ପରିଷଦ ଜୋନ୍ରୁ ୭୬୬ଟି ଆସନ ଜିତି ବିଜେଡି ବୃହତ୍ ବିଜୟ ହାସଲ କରିଥିଲା। ୩୦ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା। ସେହିପରି ବିଜେପି ଏବଂ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଭାବେ ବରାବର ଟକ୍କର ଦେଇଥିଲେ। ହେଲେ ଏବେ ରାଜ୍ୟ ରାଜନୀତିର ଚିତ୍ର ବଦଳିଛି । ଅନ୍ତଃକନ୍ଦଳ ଯୋଗୁଁ ବିଜେଡି ଭାଗ ଭାଗ ହୋଇଛି। ଅସନ୍ତୁଷ୍ଠ ଗୋଷ୍ଠୀମାନେ ବିଜୁ ଲିଗାସୀର ଦ୍ୱାହି ଦେଇ ବିଜେଡିକୁ ମୁହଁ ମୋଡିଛନ୍ତି। ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ କଂଗ୍ରେସର ସ୍ଥିତି ନକହିବା ଭଲ। ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ଆଉ ଏକ ଦଳ ଗଠନ କରିଛନ୍ତି। ମୋକିମଙ୍କ ଦଳ ପଂଚାୟତ ନିର୍ବାଚନକୁ ଓହ୍ଲାଇବ।
ବିଜେଡିରୁ କିଛି ନେତାଙ୍କୁ ଆମଦାନୀ କରି ବିଜେପି ପଂଚାୟତ ନିର୍ବାଚନରୁ ଫାଇଦା ନେବା ଚକ୍କରରେ ଅଛି।