କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଛନ୍ତି: ପ୍ରଧାନମନ୍ତ୍ରୀ -shaksi news

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ସମର୍ଥନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି । ଆଉ ଆଇନକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। କୃଷି ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଥିବାରୁ ଚାଷୀମାନେ ଆନ୍ଦୋଳନ କରୁଥିବା ସେ କହିଛନ୍ତି।

ଆଜି ମଧ୍ୟପ୍ରଦେଶର ଚାଷୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ମୋଦି କହିଛନ୍ତି, “ରାତାରାତି ଏହି ଆଇନ ଆସିନାହିଁ। ଦୀର୍ଘ ୨୨ ବର୍ଷ ହେଲାଣି ପ୍ରତିଟି କେନ୍ଦ୍ର ସରକାର ଓ ରାଜ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଚାଷ କ୍ଷେତ୍ରରେ ସଂସ୍କାର ପାଇଁ କୃଷି ସଂଗଠନ, କୃଷି ବିଶେଷଜ୍ଞ, ଅର୍ଥନୀତିଜ୍ଞ, ବୈଜ୍ଞାନିକ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଯେଉଁ ଦଳଗୁଡ଼ିକ ଆଜି କୃଷି ଆଇନକୁ ବିରୋଧ କରୁଛନ୍ତି, ସେମାନେ ଦିନେ ନିଜର ନିର୍ବାଚନୀ ଇସ୍ତାହାରରେ ଏହି ସଂସ୍କାର ବିଷୟରେ କହିଥିଲେ।

ଏଥିସହ ଏବେ ଯେଉଁ କୃଷି ଆଇନ ଆସିଛି, ତା’ ଉପରେ ଦୀର୍ଘ ଦଶନ୍ଧି ଧରି କ୍ଷମତାକୁ ଆସୁଥିବା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆଲୋଚନା କରୁଥିଲେ। ନୂଆ ଆଇନ ବଳରେ ଏମଏସପି ଶେଷ ହୋଇଯିବ ବୋଲି ଯେଉଁ କଥା କୁହାଯାଉଛି, ତା’ହା ବଡ଼ ମିଛ ବୋଲି ମୋଦି କହିଛନ୍ତି। ଚାଷୀଙ୍କୁ ହାତ ଯୋଡ଼ି ସବୁ ସମସ୍ୟାର ସମାଧାନ କରିବାରୁ ସେ ରାଜି ଥିବା ମଧ୍ୟ କହିଛନ୍ତି।

ଏପରିକି ଆଜି ସେଭଳି ଦଳକୁ ଭାରି ଯନ୍ତ୍ରଣା ହେଉଛି ଆଉ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ଏହି କାରଣରୁ ସେମାନେ ଚାଷୀଙ୍କୁ ମୋହରା କରିଛନ୍ତି। ସେମାନେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଦୀର୍ଘ ୮ ବର୍ଷ ହେଲାଣି ସେମାନେ ସ୍ୱାମୀ ନାଥନ କମିଟିର ସୁପରିସକୁ ଚାପି ଦେଇଥିଲେ। ଚାଷୀମାନେ ଆନ୍ଦୋଳନ କରୁଥିଲେ ହେଁ ସେମାନେ କିଛି ବି ବୁଝୁ ନଥିଲେ। ତେଣୁ ଆଇନୀକୁ ନେଇ ମୋର କିଛି ବି ଶ୍ରେୟ ଦରକାର ନାହିଁ। କେବଳ ଚାଷୀଙ୍କ ଜୀବନ ଧାରଣ କ୍ଷମତା ଅଧିକ ଉନ୍ନତି ହେଉ। ଚାଷୀଙ୍କୁ ଆଉ କେହି ଭ୍ରମିତ ନ କରନ୍ତୁ। ଏପରି କି ମୁଁ ମଧ୍ୟ ଆପଣଙ୍କ ଇସ୍ତାହାରକୁ ଶ୍ରେୟ ଦେଉଛି।”

ସେହିପରି କୃଷି କ୍ଷେତ୍ରରେ ସଂସ୍କାର ଜରୁରୀ ବୋଲି ଗୁରୁତ୍ୱ ଦେଇ ମୋଦି କହିଛନ୍ତି, ଭାରତୀୟ ଚାଷୀ ବିଶ୍ୱସ୍ତରୀୟ ସୁବିଧା ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ। ଆଜି ମୁଁ ଆମ ଅନ୍ନଦାତଙ୍କ ପ୍ରତି ସମ୍ବେଦନଶୀଳ ଲୋକଙ୍କର ପର୍ଦ୍ଦାଫାସ କରିବାକୁ ଚାହୁଁଛି। କୃଷି ଆଇନ ଜରିଆରେ ଚାଷୀଙ୍କୁ ଯେଉଁମାନେ ଭ୍ରମିତ କରୁଛନ୍ତି ଓ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି, ମୁଁ ସେମାନଙ୍କୁ ଏବେଠାରୁ ସତର୍କ କରାଇ ଦେଉଛି। ୬-୭ ମାସ ହେଲାଣି ନୂଆ କୃଷି ଆଇନ କାର୍ଯ୍ୟକାରୀ ହେଲାଣି। କିନ୍ତୁ ଏବେ ନିଜର ରାଜନୀତିକ ଫାଇଦା ପାଇଁ ଚାଷୀଙ୍କୁ ମୋହରା କରି ଆନ୍ଦୋଳନ କରାଯାଉଛି।

ପୂର୍ବରୁ ଏମଏସପି ଥିଲା, ଏବେ ଚାଲୁଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ। ସେହିପରି ମଣ୍ଡି ବ୍ୟବସ୍ଥା ମଧ୍ୟ ବନ୍ଦ ହେବନାହିଁ। ଯଦି ଆମେ ଏମଏସପି ବନ୍ଦ କରିବାକୁ ଚାହୁଁଛୁ, ତା’ହେଲେ ଆମେ କାହିଁକି ସ୍ୱାମୀ ନାଥନ କମିଟିର ସୁପାରିସକୁ ଲାଗୁ କରିବାକୁ ଚେଷ୍ଟା କରୁଛୁ। ଆମ ସରକାର ଏମଏସପି ପାଇଁ ସବୁବେଳେ ଯତ୍ନବାନ।

ଏଥିପାଇଁ ଅମଳ ପୂର୍ବରୁ ଏମଏସପି ଘୋଷଣା ହୋଇଥିଲା। କରୋନା ଲଢ଼େଇ ବେଳେ ମଧ୍ୟ ଏମଏସପି ଜାରି ରହିଥିଲା। ଯେଉଁ ମଣ୍ଡିରେ ପୂର୍ବରୁ ଧାନ କିଣା ହେଉଥିଲା, ଏବେ ବି ସେଠାରେ କିଣା ଯାଉଛି। ନୂଆ ଆଇନ ପରେ ଗୋଟିଏ ହେଲେ ବି ମାର୍କେଟ ବନ୍ଦ ହୋଇନାହିଁ।

ତଥାପି କାହିଁକି ମିଛ ପ୍ରଚାର କରାଯାଉଛି? ସତ କଥା ହେଲା ଆମ ସରକାର ଏପିଏମସିକୁ କମ୍ୟୁଟରକରଣ କରିବା ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଏପରି ସ୍ଥିତିରେ ଏପିଏମସି କେମିତି ବନ୍ଦ କରାଯିବ ବୋଲି ପ୍ରଶ୍ନ ଉଠୁଛି? ପୂର୍ବରୁ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ମିଳୁ ନଥିଲା। ହେଲେ ଏବେ ଆମେ ସମସ୍ତଙ୍କୁ ଏହି କାର୍ଡ ଦେବାକୁ ବ୍ୟବସ୍ଥା କରିଛୁ। ଚାଷୀଙ୍କ ଉନ୍ନତି ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।