ଭୁବନେଶ୍ୱର: ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିବା ଆରମ୍ଭ କରିଛି ବୋଲି ଆରପିଡି ସର୍ବେକ୍ଷଣ ରିପୋର୍ଟ ସ୍ପଷ୍ଟ କରିଛି । ପିପିଲି ଉପନିର୍ବାଚନ ସମୟରେ ନବୀନଙ୍କ ଲୋକପ୍ରିୟତା ଯେତିକି ପରିମାଣର ଥିଲା, ମହାନଗର ନିଗମ ନିର୍ବାଚନ ପରେ ୧୦ ପ୍ରତିଶତ ହ୍ରାସ ପାଇଛି । ଓଡ଼ିଶାରେ ବିଜେପିର ପ୍ରଭାବ ଲୋକସଭା ନିର୍ବାଚନ ପରଠାରୁ କମିଯାଇଛି । ବିଶେଷ କରି ବିଜେପିର ରାଜ୍ୟ ନେତୃତ୍ୱ ବଳିଷ୍ଠ ନଥିବାରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରୁନି । କଂଗ୍ରେସର ଲୋକପ୍ରିୟତା ସର୍ବାଧିକ ହ୍ରାସ ପାଇଛି । ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଭଳି ରାଜନୈତିକ ଦଳ କ୍ରମେ ସାଇନ୍ ବୋର୍ଡ ପାର୍ଟି ହୋଇ ରହିଯାଇଛନ୍ତି । ତେବେ ପଂଚାୟତ, ପୌରପାଳିକା, ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନ ପରେ ଆମ୍ ଆଦ୍ମୀ ପାର୍ଟି ଲୋକଙ୍କ ନିକଟତର ହୋଇଛି ।
ସର୍ବେକ୍ଷଣରେ ୭୦ ପ୍ରତିଶତ ଲୋକ କହିଛନ୍ତି ଯେ ଦୁର୍ବଳ ବିରୋଧୀ ଶକ୍ତି କାରଣରୁ ନବୀନବାବୁଙ୍କ ବିଜେଡି ଦୀର୍ଘ ଦିନ ଧରି କ୍ଷମତା ଉପଭୋଗ କରିଆସୁଛି । ନବୀନଙ୍କ ଲୋକପ୍ରିୟତା ନୁହେଁ, ବିଜେପି ଓ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ବିଜେଡିକୁ ସୁହାଇଛି । ତେବେ ସେପରି ବଳିଷ୍ଠ ନେତାଟିଏ ରାଜ୍ୟର ନେତୃତ୍ୱ ନେଲେ, ନବୀନବାବୁ ଆଗାମୀ ସାଧାରଣ ନିର୍ବାଚନରେ ଚିତ୍ ମାରିବା ଅସମ୍ଭବ ନୁହେଁ ବୋଲି ସର୍ବେକ୍ଷଣ ସଂସ୍ଥା ରାଇଟ୍ ପର୍ସର୍ନ୍ସ ଡ୍ରାଇଭ୍ (ଆରପିଡି) ରିପୋର୍ଟରେ ଉଲ୍ଲେଖ କରିଛି ।
ସାଧାରଣ ଲୋକମାନେ କହୁଛନ୍ତି, ନବୀନବାବୁ ପାଂଚବର୍ଷ ଭଲ କରି ଲୁଟୁଛନ୍ତି, ନିର୍ବାଚନ ବେଳକୁ କାଳିଆ ଯୋଜନା, ପିଠା ଯୋଜନା, ଘର ମରାମତି ଆଳରେ ରାଜକୋଷ ଖୋଲି ଭୋଟ ନଉଛନ୍ତି । ଭୋଟ ପାଇ ସଚିବାଳୟରେ ବସିବା ପରେ ଲୋକଙ୍କ ମୁହଁକୁ ଅନାଉନାହାନ୍ତି ।