ରାହୁଲଙ୍କ ଟ୍ଵିଟ୍‌ : ଜିଡିପି ଅଭିବୃଦ୍ଧିରେ ପାକିସ୍ତାନ ଓ ବାଂଲାଦେଶଠୁ ପଛରେ ଭାରତ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ମୋଦୀ ସରକାର । ନିମ୍ନଗାମୀ ଅର୍ଥବ୍ୟବସ୍ଥା ଓ କରୋନା ସଙ୍କଟକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି। ରାହୁଲ ଟ୍ଵିଟ୍‌ କରି ଜିଡିପି ଅଭିବୃଦ୍ଧି ହାରରେ ଏସିଆ ଦେଶମାନଙ୍କ ମଧ୍ୟରେ ଭାରତ ୧୧ ତମ ସ୍ଥାନରେ ରହିଛି ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀ ସେୟାର କରିଥିବା ୧୦ଟି ଦେଶର ଅର୍ଥବ୍ୟବସ୍ଥା ଓ କରୋନାକୁ ନେଇ ତଥ୍ୟ ଦିଆଯାଇଛି । ଭାରତ ଉପରେ ବାଂଲାଦେଶ ଓ ପାକିସ୍ତାନ ରହିଛି । କରୋନା ମୁକାବିଲାରେ ଭାରତ ବାଂଲାଦେଶ ଓ ପାକିସ୍ତାନଠୁ ମଧ୍ୟ ପଛରେ ରହିଛି ବୋଲି ରାହୁଲ କହିଛନ୍ତି। ତାଲିକାରେ ଜିଡିପି ହେଉ କି କରୋନା ମହାମାରୀ ଉଭୟରେ ଭାରତ ତଳେ ରହିଛି। ଆମ ଉପରେ ବାଂଲାଦେଶ, ଚୀନ, ଭିଏତନାମ, ନେପାଳ, ପାକିସ୍ତାନ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମାଲେସିଆ, ଥାଇଲାଣ୍ଡ ରହିଛି। ଭାରତର ସ୍ଥିତି ଚିନ୍ତାଜନକ ଥିବା ଏଥିରେ ଉଲ୍ଲେଖ ରହିଛି।

ଏହା ପୂର୍ବରୁ ମୋଦୀ ସରକାରଙ୍କ ନୂତନ କୃଷି ଆଇନ୍‌ ବିରୋଧରେ ରାହୁଲ ଗାନ୍ଧୀ କଠୋର ସମାଲୋଚନା କରିଥିଲେ। ନିକଟରେ ପଞ୍ଜାବ ଗସ୍ତ ସଂପର୍କିତ ଏକ ଟ୍ଵିଟ୍ କରି ରାହୁଲ କହିଥିଲେ, କୃଷକ ଦେଶକୁ ଖାଦ୍ୟ ସୁରକ୍ଷା ଦେଇଛନ୍ତି। କିନ୍ତୁ ମୋଦୀ ସରକାର କୃଷକଙ୍କୁ ଧୋକା ଦେଇଛନ୍ତି।