ହାଇଦ୍ରାବାଦ: ଇସ୍ଲାମ୍ ଧର୍ମଯାଜକ ମହମ୍ମଦଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର ଅଭିଯୋଗରେ କୋର୍ଟ ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ପ୍ରଥମେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ; ମାତ୍ର ପରେ ଆଦେଶ ପ୍ରତ୍ୟାହାର କରି ଜାମିନ୍ ପ୍ରଦାନ କରିଛନ୍ତି । ରାଜାଙ୍କ ଜାମିନକୁ ପ୍ରତିବାଦ କରି ହାଇଦ୍ରାବାଦରେ ଲଙ୍କାକାଣ୍ଡ ଘଟିଛି ।
ପୁଲିସ ଅଭିଯୁକ୍ତ ବିଧାୟକ ରାଜାଙ୍କୁ ହାଇଦ୍ରାବାଦର ନାମପଲ୍ଲୀ କୋର୍ଟରେ ହାଜର କରିଥିଲା । ଇତିମଧ୍ୟରେ ରାଜାଙ୍କୁ ବିଜେପିରୁ ବାହାର କରି ଦିଆଯାଇଛି । ଦଳ ପକ୍ଷରୁ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ୧୦ ଦିନ ଭିତରେ ଜବାବ ଦାଖଲ ପାଇଁ କୁହାଯାଇଛି । ମୁସଲିମ ଧର୍ମଯାଜକ ମହମ୍ମଦଙ୍କୁ ଅପମାନ ଅଭିଯୋଗରେ ପୁଲିସ ଅଭିଯୁକ୍ତ ବିଧାୟକଙ୍କୁ ମଙ୍ଗଳବାର ସକାଳେ ଗିରଫ କରିଥିଲା । ବିଧାୟକ ରାଜା ହାଇଦ୍ରାବାଦର ଗୋଶାମହଲ ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି ।
ବିଧାୟକ ରାଜାଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ (ବିଭିନ୍ନ ସଂପ୍ରଦାୟ ଭିତରେ ଶତ୍ରୁତା ବୃଦ୍ଧି), ୨୯୫ (ଧାର୍ମିକ ଅପମାନ ପାଇଁ ପୂଜାସ୍ଥଳକୁ ଭଙ୍ଗାରୁଜା), ୫୦୫ (ସାଧାରଣ ସ୍ଥାନରେ ଗଣ୍ଡଗୋଳ) ଆଧାରରେ ଗିିରଫ କରାଯାଇଥିଲା ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ୍ ଓୱୈସୀ ପ୍ରତିକ୍ରିୟାରେ କହିଛନ୍ତି, ବିଜେପି ନୁପୁର ଶର୍ମାଙ୍କ ମାମଲାରୁ କିଛି ଶିଖିପାରିଲାନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାକୁ ଶେଷ କରିବାକୁ ଚାହାନ୍ତି । ଗୋଟିଏ ଉପ-ନିର୍ବାଚନ ପାଇଁ ସାରା ତେଲେଙ୍ଗାନାରେ ନିଅାଁ ଲଗାଇବାକୁ ଚାହାନ୍ତି । ବିଜେପି ମୁସଲମାନ ଓ ଧର୍ମଯାଜକ ମହମ୍ମଦଙ୍କୁ ଘୃଣା କରୁଛି । ବିଜେପିର ବଡ଼ ନେତାଙ୍କ ଅନୁମତି ବିନା ଏପରି କାମ କରିବାର ସାହସ ରାଜାଙ୍କ ପାଖରେ ନାହିଁ ।