ସଦନରେ ଠିଆ ହୋଇ ମନ୍ତ୍ରୀମାନେ ଦେଶବାସୀଙ୍କ କାନରେ ଯାହା ଶୁଣାନ୍ତି, ସେଗୁଡ଼ିକୁ ବେଦର ଗାର ମଣନ୍ତି ଦେଶର ୧୪୩ କୋଟି ଜନତା । କାହିଁକି? ବିଧାନସଭା ଭଳି ଏକ ପବିତ୍ର ପୀଠରେ ଠିଆ ହୋଇ ମନ୍ତ୍ରୀମାନେ ଏତେଲୋକଙ୍କୁ ମିଛ କହିବାକୁ ସାହସ ଜୁଟାଇ ପାରିବେନି, ଏମିତି ଏକ ଖୟାଲ ଆମ ଦେଶବାସୀଙ୍କ ମୁଣ୍ଡରେ ଘର କରିଛି ।
ଏବେ ପ୍ରସଙ୍ଗ ଉପରକୁ ଆସୁଛୁ । ଆମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଦନ ଭିତରେ ଠିଆ ହୋଇ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ନେହୁରୁ ଭାରତ-ଚୀନ ଯୁଦ୍ଧ ଚାହୁଁ ନ ଥିଲେ । ତେଣୁ ସେ ଭାରତ-ଚୀନ ଯୁଦ୍ଧ ବାତିଲ ଖବର ପ୍ରସାରଣ କରିବାକୁ ଆକାଶବାଣୀକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସର୍ଦ୍ଦାର ପଟେଲ ନେହୁରୁଙ୍କ ଯୁଦ୍ଧ ବାତିଲ ଖବର ପ୍ରସାରଣକୁ ଅଟକାଇବା ପାଇଁ ରାସ୍ତାରେ ଗାଡ଼ି ଚଲାଇ ଆକାଶବାଣୀ କେନ୍ଦ୍ରରେ ପହଂଚି ଗଲେ । କିନ୍ତୁ ଆକାଶବାଣୀ କେନ୍ଦ୍ରର ତଳିଆ କର୍ମଚାରୀ ସର୍ଦ୍ଦାର ପଟେଲଙ୍କୁ ଦେଖି ଫାଟକ ବନ୍ଦ କରିଦେଲା ।
ଅମିତ ଶାହଙ୍କ ମୁହଁରୁ ଏହି ଖବର ଶୁଣିବା ମାତ୍ରେ ବିଜେପି ସାଂସଦମାନେ ଟେବୁଲ ଉପରେ ହାତ ପିଟି ଅମିତଙ୍କୁ ତାରିଫ କଲେ । ସଦନ ଭିତରେ ଉପସ୍ଥିତ କୌଣସି ବିଜେପି ସାଂସଦ ଅମିତଙ୍କ ଭୁଲକୁ ଧରି ପାରିଲେନି । ଅମିତଙ୍କ ତ୍ରୁଟିପୂର୍ଣ୍ଣ ତଥ୍ୟକୁ ପ୍ରତିବାଦ ନ କରିବା ଅର୍ଥ ଅମିତଙ୍କ ଭୁଲକୁ ଅଣଦେଖା କରିବା । ଜଣକର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ମୁଣ୍ଡପାତି ସହିନେବା ମଧ୍ୟ ଘୋର ଅପରାଧ । ଦେଶବାସୀଙ୍କ ସହିତ ପ୍ରତାରଣା କରିବା ।
ସର୍ଦ୍ଦାର ପଟେଲଙ୍କ ମୃତ୍ୟୁ ୧୯୫୦ ଡିସେମ୍ବର ମାସରେ ହୋଇଥିଲା । ସେ ୧୯୬୦ ମସିହାରେ ଆକାଶବାଣୀ କେନ୍ଦ୍ରକୁ ଯାଇ ମୁଖ୍ୟ ଫାଟକ ନିକଟରେ ତଳିଆ କର୍ମଚାରୀଙ୍କ ହିନସ୍ତାର ଶିକାର ହୋଇଥିବା କଥା ଅମିତ କେମିତି ଜାଣିଲେ?