ମଉକା ଦେଖି ବିଜେପିକୁ ଛକା ମାରନ୍ତି ନୀତୀଶ

ମାଡ଼ଖିଆ ବିଜେପିକୁ ଠିକ୍‌ ଔଷଧ ଦିଆଯାଇଛି…

ପାଟନା: ଏନ୍‌ଡିଏରେ ସବୁଠାରୁ ପୁରୁଣା ଦଳ ହେଉଛି ଜେଡିୟୁ । କିନ୍ତୁ ମଉକା ଦେଖି ବିଜେପିକୁ ଚଉକା, ଛକା ମାରିବାରେ ନୀତୀଶ କୁଣ୍ଠାବୋଧ କରନ୍ତି ନାହିଁ । ଆସନ୍ତୁ, ବିଜେପି-ଜେଡିୟୁ କଳିର ଅତୀତକୁ ଯିବା । ୨୦୧୦ ଜୁନ ସମୟର ଘଟଣା । ବିହାରରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ନରେନ୍ଦ୍ର ମୋଦୀ ଆସିଥିଲେ । ମୋଦୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କୁ ନୈଶଭୋଜିକୁ ଡାକିଥିଲେ ନୀତୀଶ । ମାତ୍ର ପରେ ନୈଶଭୋଜି ବାତିଲ କରିଥିଲେ । ଅବଶ୍ୟ ଏଥିପାଇଁ ବିଜେପି ନେତା ସୁଶୀଲ ମୋଦୀଙ୍କୁ ଦାୟୀ କରିଥିଲେ ନୀତୀଶ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା । ଏନ୍‌ଡିଏ ଜେଡିୟୁଠାରୁ ପୂର୍ଣ୍ଣ ସହଯୋଗ ଲୋଡ଼ିଥିଲା; ମାତ୍ର ନୀତୀଶ ସେହି ସମୟରେ ଏନଡିଏ ସହିତ ୧୭ ବର୍ଷର ସମ୍ପର୍କକୁ ବିଚ୍ଛିନ୍ନ କରିଦେଲେ ।

୨୦୦୨ ଗୁଜରାଟରେ ସଂଘଟିତ ଗୋଧ୍ରା କାଣ୍ଡ ପାଇଁ ନୀତୀଶ କୁମାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଥିଲେ । ସେତେବେଳେ ନୀତୀଶ କୁମାରଙ୍କ ଜେଡିୟୁ ଏନ୍‌ଡିଏର ଅଂଶୀଦାର ଥିଲା ।
ନୀତୀଶ ସବୁବେଳେ ନିଜ ନିଷ୍ପତି ଅନୁସାରେ ଆଗକୁ ମାଡ଼ି ଚାଲନ୍ତି । ଠିକ୍‌ ଯେମିତି ମୋଦୀ ନିଜ ଅହଂକାରକୁ ଅଗ୍ରାଧୀକାର ଦେଇଥାନ୍ତି । ଜେଡିୟୁଠାରୁ ବାରମ୍ବାର ଧୋକା ଖାଇବା ପରେ ମଧ୍ୟ ବିଜେପି ମୁଣ୍ଡରେ ବୁଦ୍ଧି ପଶୁନି । ଅନ୍ୟ ପକ୍ଷରେ ନୀତୀଶ ସହ ମହାଗଠବନ୍ଧନ କରି ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ ଠିକ କରିଛନ୍ତି କି’ ନା’, ତାହା ସମୟ କହିବ ।