ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ମନିଷ ସିସୋଦିୟା ବିଜେପି ସରକାରଙ୍କ ନାଲିଆଖି ନିକଟରେ ମୁଣ୍ଡ ତଳକୁ କରିବାକୁ ସଫା ସଫା ମନା କରିଛନ୍ତି । ଏକ ବୟାନରେ ସିସୋଦିୟା କହିଛନ୍ତି, କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ତାଙ୍କ ବିରୋଧରେ ଯେତେ ମାମଲା ରୁଜୁ କରୁଛି କରୁ, ସେ କୌଣସି ପରିସ୍ଥିତିରେ କାହା ଆଗରେ ମୁଣ୍ଡ ନୁଆଇଁ ପାରିବେନି ।
ଦିଲ୍ଲୀର ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ କରାଯାଇଥିବା କ୍ଲାସ୍ ରୁମ୍ ଅଭିଯାନରେ ପ୍ରାୟ ୨ ହଜାର କୋଟି ଟଙ୍କାର ମହାଦୁର୍ନୀତି କରାଯାଇଥିବା ଅଭିଯୋଗ କରି ମୋଦି ସରକାର ମନିଷ ସିସୋଦିୟାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରିଛି । ସିସୋଦିୟା ଓ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକରଣ ପାଇଁ ମହାମହିମ ରାଷ୍ଟ୍ରପତି ସୁପାରିଶ କରିଥିବା ଜଣାପଡ଼ିଛି । ବିଜେପିର ଆପ୍ ସମାଧି ଅଭିଯାନ ଦିନକୁ ଦିନ ଜୋରଦାର ହେବାକୁ ଯାଉଛି ବୋଲି ଧରିନେବାକୁ ହେବ ।