ମୁମ୍ବଇ: ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ଅଜିତ୍ ପୱାରଙ୍କ ଅକାଳ ମୃତ୍ୟୁ ପରେ ଦଳରେ କ୍ଷମତା କନ୍ଦଳ ଆରମ୍ଭ ହୋଇଛି। ବିଶେଷ କରି ଅଜିତଙ୍କ ସ୍ଥାନରେ ମହାରାଷ୍ଟ୍ର ସରକାରରେ କିଏ ଉପମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଦଳର ବରିଷ୍ଠ ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ଟାଟ୍କରେଙ୍କ ଭଳି ନେତା ଆଶାୟୀ ଅଛନ୍ତି। ମାତ୍ର ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଲୋକେ ଅଜିତଙ୍କ ପତ୍ନୀ ସୁନେତ୍ରା ପୱାରଙ୍କୁ ରାଜ୍ୟ ସରକାର ସାମିଲ କରିବାକୁ ଚାହୁଁଛନ୍ତି। ତେଣୁ ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦିଆଯିବ। ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ରାଜ୍ୟ ସରକାରକୁ ଆସିବା ପରେ ସେ ଅଜିତଙ୍କ ଆସନରେ ଉପନିର୍ବାଚନ ଲଢିବେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ସମ୍ପର୍କରେ ଏନ୍ସିପି ନେତାମାନେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଭେଟି ବିଧିବଦ୍ଧ ପ୍ରସ୍ତାବ ଦେବେ। ଅଜିତଙ୍କର ଦୁଇ ପୁଅ ଅଛନ୍ତି। ମାତ୍ର ସେମାନେ ରାଜନୀତିରେ ପରିପକ୍ୱ ନୁହଁନ୍ତି।
ପ୍ରଫୁଲ ପଟେଲ ଏବେ ଏନସିପିର କାର୍ଯ୍ୟକାରୀ ସଭାପତି ଥିବାରୁ ଆଗାମୀ ଦିନରେ ସେ ଦଳର ସମ୍ପୂର୍ଣ୍ଣ ନେତୃତ୍ୱ ନେବାର ସମ୍ଭାବନା ରହିଛି। ଦ୍ୱିତୀୟରେ ସୁନୀଲ ଟାଟ୍କରେ ମହାରାଷ୍ଟ୍ର ରାଜ୍ୟ ସଭାପତି ଥିବାରୁ ସେ ମଧ୍ୟ ଦଳର ନେତୃତ୍ୱ ପାଇଁ ଆଶାୟୀ ରହିବା ସ୍ୱାଭାବିକ। ଅଜିତ ପୱାରଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଅନ୍ୟତମ ନେତା ପ୍ରମୋଦ ହିନ୍ଦୁରାଓ କହିଛନ୍ତି ଯେ ସୁନେତ୍ରା ଦଳର ନେତୃତ୍ୱ ନେବା ଉଚିତ୍। ଦଳର ନେତୃତ୍ୱ ବିବାଦ ତୁଟିବା ପରେ ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନସିପି (ଏସ୍ପି) ସହିତ ଏନସିପିର ବିଲୀନ ପ୍ରସଙ୍ଗରେ ପରବର୍ତୀ ସମୟରେ ଆଲୋଚନା କରାଯିବ ବୋଲି ନରହରି କହିଛନ୍ତି। ରାଜ୍ୟ ମହାନଗର ନିଗମ ନିର୍ବାଚନ ସମୟରେ ଅଜିତ ଏନସିପିର ଦୁଇଗୋଷ୍ଠୀର ମିଳନ କରିବା ସମ୍ପର୍କରେ ଶରଦଙ୍କ ସହ ଆଲୋଚନା କରି ଆସୁଥିଲେ ବୋଲି କୁହାଯାଇଛି। ଦେବେନ୍ଦ୍ର ଫଡନବିସଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ମହାୟୁତି ମେଂଟ ସରକାରରେ ଏନସିପି ଏକ ଅଂଶୀଦାର ଦଳ। ଅଶୀଦାର ଦଳ ଭାବେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଅନ୍ୟତମ ଅଂଶୀଦାର ଦଳ ଶିବସେନା ପକ୍ଷରୁ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି।